ପଞ୍ଚମ ଥର ପାଇଁ ନିଫ୍ୟୁ ରିଓ ନାଗାଲାଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ

ନେଫ୍ୟୁ ରିଓ ମଙ୍ଗଳବାର ନାଗାଲାଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ରାଜଧାନୀ କୋହିମାରେ ଆୟୋଜିତ ସମାରୋହରେ ରାଜ୍ୟପାଳ ଲା ଗଣେଶନ ତାଙ୍କୁ ଶପଥ ପାଠ କରାଇଥିଲେ । ପଞ୍ଚମ ଥର ପାଇଁ ନିଫ୍ୟୁ ରିଓ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ, ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ସହ ଅନ୍ୟମାନେ ଉପସ୍ଥିତ ରହିଥିଲେ ।
ମେଣ୍ଟରେ ସାମିଲ ବିଜେପିକୁ ଉପମୁଖ୍ୟମନ୍ତ୍ରୀ ପଦ ମିଳିଛି । ବିଜେପି ନେତା ୟାନଥୁଙ୍ଗୋ ପେଟନ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ବିଜେପି ବିଧାୟକ ଦଳ ସର୍ବସମ୍ମତିରେ ୟାନଥୁଙ୍ଗୋଙ୍କୁ ନିଜର ନେତା ବାଛିଥିଲା ।
ଅନ୍ୟପଟେ ନାଗାଲାଣ୍ଡ ବିଧାନସଭର ପ୍ରଥମ ମହିଳା ବିଧାୟକ ସାଲହଉତୁଓନଉ କ୍ରୁସ୍ ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଶପଥ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କ୍ରୁସ ହାତ ମିଶାଇଥିଲେ । ଆଜିର ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ମୋଟ ୯ ଜଣ ମନ୍ତ୍ରୀ ଭାବେ ଶପଥ ପାଠ କରିଥିଲେ ।