ଓଡ଼ିଶାର ଦ୍ରୌପଦୀ ମୁର୍ମୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡ଼ିଶାର ଦ୍ରୌପଦୀ ମୁର୍ମୁଙ୍କ ନାଁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ଆଜି ସନ୍ଧ୍ୟାରେ ତାଙ୍କ ନାମ ଘୋଷଣା କରିଛନ୍ତି। ଆଜି ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ବିଜେପିର ସଂସଦୀୟ ବୋର୍ଡ ବୈଠକ ବସିଥିଲା । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ରାଜନାଥ ସିଂହଙ୍କ ସମେତ ପ୍ରମୁଖ ବରିଷ୍ଠ ନେତାମାନେ ସାମିଲ ହୋଇଥିଲେ । ବିଜେପି ପାଖରେ ପ୍ରାୟତଃ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବାକୁ ଅଧିକ ସଂଖ୍ୟା ଥିବାରୁ ଦ୍ରୌପଦୀ ମୁର୍ମୁ ହିଁ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହେବା ଏକ ପ୍ରକାରର ନିଶ୍ଚିତ ହୋଇଯାଇଛି। ଯଦି ଦ୍ରୌପଦୀ ମୁର୍ମୁ ବିଜୟୀ ହୁଅନ୍ତି, ତା’ହେଲେ ପ୍ରଥମ ଓଡ଼ିଆ ଭାବେ ସେ ରାଷ୍ଟ୍ରପତି ହେବାର ଗୌରବ ଅର୍ଜନ କରିବେ।ଓଡ଼ିଶାର ଆଦିବାସୀ ନେତା ଦ୍ରୌପଦୀ ମୁର୍ମୁ ପୂର୍ବରୁ ଝାରଖଣ୍ଡର ପୂର୍ବତନ ରାଜ୍ୟପାଳ ଭାବେ କାର୍ଯ୍ୟ କରିଛନ୍ତି। ଦ୍ରୌପଦୀ ଦେଶର ଦ୍ୱିତୀୟ ମହିଳା ରାଷ୍ଟ୍ରପତି ହେବେ।

ସୂଚନା ଅନୁଯାୟୀ, ପୂର୍ବରୁ ବିରୋଧୀ ମହାମେଣ୍ଟ ପକ୍ଷରୁ ଯଶୱନ୍ତ ସିହ୍ନାଙ୍କ ନାମ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିଲା । ଏନଡିଏ ମେଣ୍ଟ ପକ୍ଷରୁ ଓଡ଼ିଶାର ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମନୋନୀତ କରାଯାଇଛି।

Leave a comment