ନବୀନ ପଠାଇବେ ନବୀନଙ୍କୁ ରାଜ୍ୟସଭା !!
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ଜୁନ ୧୦ ତାରିଖରେ ହେବାକୁ ଥିବା ରାଜ୍ୟର ତିନୋଟି ରାଜ୍ୟସଭା ପ୍ରାର୍ଥୀ ନିର୍ବାଚନ ନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଲାଣି । ଏହି ଆସନକୁ ନେଇ ଅନେକ ଆଶାୟୀ ଆଶା ବାନ୍ଧିବା ସହ ଲବୀ କରିବାରେ ବ୍ୟସ୍ତ ଅଛନ୍ତି । ରାଜ୍ୟସଭା ନିର୍ବାଚନକୁ ନେଇ ଅନେକ ରାଜନୈତିକ କଳ୍ପନାଜଳ୍ପନା ମଧ୍ୟ ଗଣମାଧ୍ୟମର କେନ୍ଦ୍ରବିନ୍ଦୁ ପାଲଟିଛି । ଏହି ଚର୍ଚ୍ଚା ମଧ୍ୟରେ ସବୁଠାରୁ ଅଧିକ ରୋଚକ ହୋଇଛି ଶିଳ୍ପପତି ନବୀନ ଜିନ୍ଦଲଙ୍କୁ ନେଇ । ଶୁଣିବାକୁ ମିଳୁଛି ଶିଳ୍ପପତି ନବୀନ ଜିନ୍ଦଲ ହୁଅନ୍ତୁ କିମ୍ବା ତାଙ୍କ ପରିବାରର ଜଣକୁ ମିଳିପାରେ ରାଜ୍ୟସଭା ଟିକେଟ । ସେହିପରି ପୂର୍ବତନ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ନାଁ ମଧ୍ୟ ରାଜ୍ୟସଭା ପ୍ରାର୍ଥୀ ତାଲିକାରେ ଥିବା ଚର୍ଚ୍ଚା ହେଉଥିଲେ ମଧ୍ୟ ବିଜେଡ଼ି ସୁପ୍ରିମୋ କାହା ନାଁରେ ମୋହର ଲଗାଉଛନ୍ତି ଦେଖିବାକୁ ବାକି ରହିଲା ।
ରାଜ୍ୟସଭା ପାଇଁ ଓଡ଼ିଶା ରୁ ଖାଲିଥିବା ୪ଟି ଆସନ ପାଇଁ ଆସନ୍ତା ଜୁନ ୧୦ ତାରିଖରେ ତିନୋଟି ଏବଂ ଜୁନ ୧୩ ତାରିଖରେ ଗୋଟିଏ ଆସନ ପାଇଁ ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହେବାକୁ ଯାଉଅଛି । ପ୍ରଥମ ପର୍ଯ୍ୟାୟରେ ଅର୍ଥାତ ଜୁନ ୧୦ ତାରିଖରେ ରାଜ୍ୟସଭା ସାଂସଦ କାର୍ଯ୍ୟକାଳ ସାରିଥିବା ସସ୍ମିତ ପାତ୍ର, ପ୍ରସନ୍ନ ଆଚାର୍ଯ୍ୟ ଏବଂ ଭାସ୍କର ରାଓ ଆସନ ପାଇଁ ନୂତନ ସାଂସଦ ନିର୍ବାଚନ କାର୍ଯ୍ୟକ୍ରମ ରହିଛି । ସେହିପରି ସୁବାସ ସିଂହ କଟକ ମେୟର ହେବାପରେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିବାରୁ ଜୁନ ୧୩ରେ ତାଙ୍କ ସ୍ଥାନରେ ଅନ୍ୟ ଜଣଙ୍କୁ ରାଜ୍ୟସଭା ପଠାଇବା ବ୍ୟବସ୍ଥା କରୁଛନ୍ତି ରାଜ୍ୟ ସରକାର । ଏହି ୪ ଆସନ ମଧ୍ୟରୁ ଗୋଟିଏ ଆସନ ବିଶିଷ୍ଠ ଶିଳ୍ପପତି ନବୀନ ଜିନ୍ଦଲଙ୍କ ପରିବାରରୁ ଜଣଙ୍କୁ ଦିଆଯିବା ନେଇ ଚର୍ଚ୍ଚା ହେଉଛି ।
ସୂଚନା ଅନୁଯାୟୀ, ପୂର୍ବରୁ ଏହି ୪ ରାଜ୍ୟସଭା ଆସନକୁ ନେଇ କେନ୍ଦ୍ରସରକାର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକାଧିକ ସିଟ ନେଇ ଭିତିରି ବୁଝାମଣା ହୋଇଥିବା ଚର୍ଚ୍ଚା ଜୋର ଧରିଥିଲା । ମାତ୍ର ବର୍ତ୍ତମାନ ରାଷ୍ଟ୍ରପତି ଚୟନରେ କେନ୍ଦ୍ର ଓଡ଼ିଶା ସହାୟତା ଲୋଡୁଥିବାରୁ ଏଥିରେ କିଛି ପରିବର୍ତ୍ତନ କରାଯାଇଛି । ଏଥର ଏପରି ଜଣକୁ ବିଜେଡି ରାଜ୍ୟସଭାକୁ ପଠାଇବା ଯେକି ବିଜେପିର ମଧ୍ୟ ପ୍ରିୟପାତ୍ର ହୋଇଥିବ ।
ଏହି ସବୁ ଚର୍ଚ୍ଚା ମଧ୍ୟରେ ନବୀନ ଜିନ୍ଦଲଙ୍କ ନାଁ ସାମ୍ନାକୁ ଆସିଛି । ୧୯୭୦ରେ ଜନ୍ମିତ ନବୀନ ଜିନ୍ଦଲ ଜଣେ ପ୍ରତିଷ୍ଠିତ, ସୁପରିଚିତ ଶିଳ୍ପପତି ତଥା କୁରୁକ୍ଷେତ୍ର ନିର୍ବାଚନ ମଣ୍ଡଳୀରୁ ଦୁଇ ଦୁଇ ଥର କଂଗ୍ରେସ ଟିକେଟରେ ନିର୍ବାଚିତ ହୋଇଥିବା ପୂର୍ବତନ ଲୋକସଭା ସାଂସଦ । ଯାହାକୁ କୌଣସି ପରିଚୟର ଆଵଶ୍ୟକତା ନାହିଁ । ତାଙ୍କର ଓଡ଼ିଶା ଉନ୍ନତିରେ ଅନେକ ଅବଦାନ ରହିଛି । ଓଡ଼ିଶାରେ ତାଙ୍କର ଅନେକ ପ୍ରକଳ୍ପ ଓଡ଼ିଶାବାସୀଙ୍କୁ ରୋଜଗାର ର ପନ୍ଥା ଯୋଗାଇଛି । ନବୀନ ଜିନ୍ଦଲ ଓଡ଼ିଶାର ସମାଜ ସେବା କାର୍ଯ୍ୟକ୍ରମ ଗୁଡିକ ସହିତ ମଧ୍ୟ ଜଡ଼ିତ ଅଛନ୍ତି । ତାଙ୍କର ଯେ କେବଳ ଓଡ଼ିଶା ସହିତ ବ୍ୟବସାୟୀକ ସମ୍ପର୍କ ଅଛି ତାହା ନୁହେଁ । ତାଙ୍କ ପିତାଙ୍କ ସହିତ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁବାବୁଙ୍କର ମଧ୍ୟ ସୁସମ୍ପର୍କ ଥିଲା । ତାଙ୍କୁ ରାଜ୍ୟସଭା ପାଠଗଲେ ବିଜେପିର ମଧ୍ୟ କୌଣସି ବିରୋଧ ସ୍ୱର ଶୁଣାଯିବ ନାହିଁ । ତେଣୁ ନବୀନ ଜିନ୍ଦଲ ହୁଅନ୍ତୁ ବା ତାଙ୍କ ପରିବାରରୁ ଜଣକୁ ରାଜ୍ୟସଭାକୁ ପଠାଯିବା ନେଇ ଚର୍ଚ୍ଚା ଜୋର ଧରିଛି ।