ପ୍ରଧାନମନ୍ତ୍ରୀଙ୍କ ନିକଟତର ହେବାକୁ ଚେଷ୍ଟା କରୁଛନ୍ତି ମୁଖ୍ୟମନ୍ତ୍ରୀ: ନିରଞ୍ଜନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିର୍ବାଚନ ପୂର୍ବରୁ କେନ୍ଦ୍ର ମନ୍ତ୍ରୀମାନେ ବାରମ୍ବାର ଓଡିଶା ଗସ୍ତ କରିବା ସହ ରାଜ୍ୟ ସରକାର ଆୟୁଷ୍ମାନ ଯୋଜନା ଲାଗୁ କରୁ ନ ଥିବା ନେଇ ସମାଲୋଚନା କରୁଥିଲେ । ଅନ୍ୟପଟେ ଆୟୁଷ୍ମାନ ଯୋଜନାର ବିକଳ୍ପ ଭାବେ ରାଜ୍ୟ ସରକାର ବିଜୁ ସ୍ବାସ୍ଥ୍ୟ ଯୋଜନା ଆଣିଥିଲେ । ଏଥିସହ ଆୟୁଷ୍ମାନ ଭାରତ ଯୋଜନା ରାଜ୍ୟରେ ଲାଗୁ କରାଯିବ ନାହିଁ ବୋଲି ରାଜ୍ୟ ସରକାର ସିଧାସଳଖ ମନା କରିଥିଲେ । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କେନ୍ଦ୍ର ଯୋଜନାଠାରୁ ବହୁଗୁଣରେ ଭଲ ବୋଲି ଶାସକ ଦଳ ନେତାମାନେ ନିର୍ବାଚନୀ ସଭାରେ ଭାଷଣବାଜି କରିଥିଲେ । ହେଲେ ବର୍ତ୍ତମାନ ନିର୍ବାଚନ ସରିବା ପରେ ପୂର୍ବ ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ ହେବା ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି । ତେବେ ନିର୍ବାଚନ ପୂର୍ବରୁ ଏପରି କହି ବିଜେଡି ନେତାମାନେ କେବଳ ରାଜନୀତି କରୁଥିଲେ ବୋଲି ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ କରିଛନ୍ତି । ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖ ଲୋକ ହେବାକୁ ଚେଷ୍ଟା କରି ମୁଖ୍ୟମନ୍ତ୍ରୀ ଏହି ଯୋଜନା ରାଜ୍ୟରେ ଲାଗୁ କରିବାକୁ ଉଦ୍ୟମ କରୁଛନ୍ତି ବୋଲି ନିରଞ୍ଜନ କହିଛନ୍ତି ।
ତେବେ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରାଯିବା ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଆଲୋଚନା ହୋଇଛି । ଏହା ଉପରେ ତର୍ଜମା କରାଯିବା ପରେ ଯାହା ପଦକ୍ଷେପ ନିଆଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି ।