କନିଷିରୁ ନିର୍ବାଚନୀ ପ୍ରଚାର ଆରମ୍ଭ କଲେ ନବୀନ ଭୋଟ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବିଜେପି ନେତା: ନବୀନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବ୍ରହ୍ମପୁର ସହର ଉପକଣ୍ଠ ତଥା ଗୋପାଳପୁର ବିଧାନସଭା ନିର୍ବାଚନ ମଣ୍ଡଳୀର କନିଷିଠାରେ ବୁଧବାର ଆୟୋଜିତ ଏକ ନିର୍ବାଚନ ସଭାରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଯୋଗଦେଇ ନିର୍ବାଚନୀ ପ୍ରଚାର ଅରମ୍ଭ କରିଛନ୍ତି । ଏହି ସଭାରେ ଯୋଗଦେଇ ନବୀନ ସିଧା ସିଧା ବିଜେପି ଉପରେ ଆକ୍ରମଣ କରିଥିଲେ । ଫାଇଲିନ, ହୁଡ୍‌ହୁଡ୍‌, ତିତିଲି, ମରୁଡି ଆଦି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିଜେପି ନେତାମାନେ ବ୍ରହ୍ମପୁର ଜିଲ୍ଲା ମାଟି ମାଡି ନ ଥିବା ବେଳେ ଏବେ ଭୋଟ୍‌ ମାଗିବାକୁ ଆସୁଛନ୍ତି । ଓଡ଼ିଶାବାସୀଙ୍କ ପାଇଁ ବିଜେପିର ବଡ ବଡ ନେତାମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି କହି ନବୀନ କହିଥିଲେ । ଏଥିସହ ସେ ଗତ ସାଧାରଣ ନିର୍ବାଚନରେ ବିଜେପି ସିତାପଲ୍ଲୀ ରେଲୱେ ୱାଗନଫ୍ୟାକ୍ଟ୍ରି, ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା, ମହିଳା ସଂରକ୍ଷଣ ପାଇଁ ପ୍ରତିଶ୍ରୁତି ଦେଇଥିବା ବେଳେ ଏ ଯାଏଁ ସେସବୁ କାହିଁକି ପାଳନ କରାଯାଇ ନାହିଁ ବୋଲି ନବୀନ ପ୍ରଶ୍ନ କରିଥିଲେ । ଅନୁସୂଚିତ ଜାତି ଏବଂ ଜନଜାତି ପିଲାଙ୍କ ସ୍କୋଲରସିପ୍‌କୁ କେନ୍ଦ୍ର ସରକାର କମାଇ ଦେଇଛନ୍ତି ।

ସେହିପରି ପ୍ରତି ବର୍ଷ ୨ କୋଟି ଚାକିରି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିବା ବେଳେ ବେକାରୀ ସଂଖ୍ୟା ଏଇ ୫ବର୍ଷରେ ବଢ଼ିଛି । ଚାଷୀଙ୍କ ସୁବିଧା ଓ ସହାୟତା ପାଇଁ ରାଜ୍ୟ ସରକାର କାଳିଆ ଯୋଜନା କାର୍ଯ୍ୟକାରୀ କରିଥିବା ବେଳେ ବିରୋଧୀ ଦଳ ଏହାକୁ ବିରୋଧ କରୁଛନ୍ତି । ଯାହାର ଜବାବ ଆସନ୍ତା ନିର୍ବାଚନରେ ଓଡ଼ିଶାବାସୀ ଦେବେ ବୋଲି ନବୀନ କହିଥିଲେ । ଏଥିସହ ଏଠାକାର ଲୋକଙ୍କ ଅସୁବିଧା ବେଳେ ମୁଁ ଠିଆ ହୋଇଥିଲି ଓ ଆଗକୁ ମଧ୍ୟ ଠିଆ ହେବି ବୋଲି ନବୀନ ବ୍ରହ୍ମପୁରବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।

ଏହି ଅବସରରେ ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଚନ୍ଦ୍ରଶେଖର ସାହୁ କହିଥିଲେ ଯେ, ଦେଶର ସର୍ବଶ୍ରେଷ୍ଠ ଗୁଣ୍ଡା ଏବଂ ଗୁଜରାଟରୁ ତଡ଼ିପାର ହୋଇଥିବା ନେତା, ଏଇଠି ଓଡ଼ିଶାକୁ ଆସି କହୁଛନ୍ତି, ନବୀନଙ୍କୁ ବଙ୍ଗୋପସାଗରରେ ଫିଙ୍ଗିଦିଅ । ଏଥର ନିର୍ବାଚନ ପରେ ହିଁ ସେମାନଙ୍କର ଓଡ଼ିଶାରେ ସ୍ଥିତି କ’ଣ ସେମାନେ ଜାଣିପାରିବେ ବୋଲି ଚନ୍ଦ୍ରଶେଖର କହିଥିଲେ । ଏହି ଅବସରରେ ବହୁ ବିଜେପି ନେତା ବିଜେଡିରେ ଯୋଗଦେଇଥିଲେ । ଏହାପରେ ବ୍ରହ୍ମପୁର ସହରରେ ଏକ ରୋଡ୍‌ ସୋ’ ଅନୁଷ୍ଠିତ ହୋଇଥିଲା । ହାଇଟେକ୍‌ ବସ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋଡ୍‌ ଶୋ’ରେ ସାମିଲ ହୋଇ ସହର ମଧ୍ୟରେ ପ୍ରଚାର କରିବା ସହ ସହରର ପ୍ରମୁଖ ଛକଗୁଡ଼ିକରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାନସଭା ପ୍ରାର୍ଥୀ ବିକ୍ରମ ପଣ୍ଡା, ଗୋପାଳପୁର ବିଧାନସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ, ବ୍ରହ୍ମପୁର ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଅଲେଖ ଚୌଧୁରୀ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

Leave a comment