ରଘୁନାଥପଲ୍ଲୀ ଓ ବିଜେପୁରରେ ନବୀନଙ୍କ ରୋଡ୍‌ ଶୋ’

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ରାଉରକେଲାର ରଘୁନାଥପଲ୍ଲୀ ଗସ୍ତ କରି ବିଜେଡି ପ୍ରାର୍ଥୀ ସୁବ୍ରତ ତରାଇଙ୍କ ପାଇଁ ପ୍ରଚାର କରିଛନ୍ତି । ଅପରାହ୍ନ ୩ଟା ବେଳେ ବିଜେଡି ପକ୍ଷରୁ ଆୟୋଜିତ ରୋଡ୍‌ ଶୋ’ରେ ମୁଖ୍ୟମନ୍ତ୍ରୀ ସାମିଲ ହୋଇଥିଲେ । ଲକ୍ଷ୍ମୀ ମାର୍କେଟରୁ ବାହାରିଥିବା ଏହି ରୋଡ୍‌ ଶୋ’ ତାରପୁର, ଲାଲଟାଙ୍କି, ଅଟୋ କଲୋନୀ, ମଡର୍ଣ୍ଣ ଇଣ୍ଡିଆ, ଲୋକନାଥ ମାର୍କେଟ, ପାଣିଟାଙ୍କି ବଜାର, ନବକୃଷ୍ଣନଗର ଛକ, ଫର୍ଟିଲାଇଜର ଟାଉନସିପ ମୁଖ୍ୟରାସ୍ତା ଦେଇ ୧୪୩ ନଂ. ଜାତୀୟ ରାଜପଥ ରଙ୍ଗିଲା ଛକରେ ପହଞ୍ଚିଥିଲା । ଏହି ଅବସରରେ କେତେକ ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ଥାନୀୟ ଲୋକେ ସ୍ବାଗତ କରିଥିଲେ ।

ସୂଚନା ଅନୁଯାୟୀ, ରାଉଲକେଲା ଗସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀ ବରଗଡ଼ ଜିଲ୍ଲା ବିଜେପୁର ଗସ୍ତ କରି ନିର୍ବାଚନୀ ପ୍ରଚାର କରିଥିଲେ । ବରଗଡ଼ ଲୋକମଣ୍ଡପ ପଡ଼ିଆରେ ଆୟୋଜିତ ନିର୍ବାଚନୀ ସଭାରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, ବିଜେଡ଼ି ସରକାର ଆସିବାର ପ୍ରଥମ ଦିନରେ କାଳିଆ ଯୋଜନାରୁ ବଞ୍ଚିତ ସବୁଚାଷୀଙ୍କୁ ଏକା ବେଳେ ୨ କିସ୍ତିର ୧୦ହଜାର ଟଙ୍କା ପ୍ରଦାନ କରାଯିବ ।

ଏଥିସହ କେନ୍ଦ୍ରକୁ ଟାର୍ଗେଟ କରି ନବୀନ କହିଥିଲେ, ୨୦୧୪ ନିର୍ବାଚନ ବେଳେ ବିଜେପି ଇସ୍ତାହାର ପତ୍ରରେ ଧାନର ସର୍ବନିମ୍ନ ସହାୟକ ମୁଲ୍ୟ ଦୁଇଗୁଣା କରିବାକୁ ପ୍ରତିଶ୍ରୁତି ଦେଇଥିଲା । ମାତ୍ର ଆଜି ପର୍ଯ୍ୟନ୍ତ ଏ ଦିଗରେ କେନ୍ଦ୍ର ସରକାର ଧ୍ୟାନ ଦେଇ ନ ଥିବା ବେଳେ କେନ୍ଦ୍ରମନ୍ତ୍ରୀମାନେ ଏ ସମ୍ପର୍କରେ ମୁହଁ ଖୋଲୁ ନାହାନ୍ତି । ଓଡ଼ିଶାବାସୀଙ୍କ ସହ ସବୁବେଳେ ମୁଁ ଥିଲି ଓ ଆଗକୁ ମଧ୍ୟ ରହିବି ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ ।

Leave a comment