ଏରସମା, ମହାକାଳପଡାରେ ନବୀନଙ୍କ ମାରାଥନ ପ୍ରଚାର । କେନ୍ଦ୍ର ଉପରେ ବର୍ଷିଲେ : ନବୀନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଏରସମା ଓ କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମାରାଥନ ପ୍ରଚାର କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ସହ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସଫଳତା ବଖାଣିଛନ୍ତି । ଏରସମାରେ ଆୟୋଜିତ ନିର୍ବାଚନ ସଭାରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ୧୯୯୯ ମହାବାତ୍ୟାରେ ସାରା ଓଡିଶା ଛାରଖାର ହୋଇଯାଇଥିଲା । ଏରସମାରେ ସବୁଠାରୁ ବେଶି କ୍ଷତି ଘଟିଥିବା ବେଳେ ସେତେବେଳେ କେନ୍ଦ୍ର ଓଡ଼ିଶାକୁ ସହଯୋଗ କରି ନଥିଲା । ଏବେ ଭୋଟ୍ ସମୟରେ କେନ୍ଦ୍ରୀୟ ନେତାମାନେ ଆସି ଏଠି ଡେରା ପକାଉଛନ୍ତି । ରାଜ୍ୟବାସୀ ଏହାର ଜବାବ ଦେବେ ବୋଲି ନବୀନ କହିବା ସହ ବିଜେଡି ସମର୍ଥିତ ବିଧାୟକ ଓ ଏମପି ପ୍ରାର୍ଥୀଙ୍କୁ ଭୋଟ୍ ଦେବାପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ । ଏମପି ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକ ଓ ବିଧାୟକ ପ୍ରାର୍ଥୀ ରଘୁନନ୍ଦନ ଦାସଙ୍କୁ ଭୋଟ୍ ଦେଇ ଜୟଯୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ କହିଥିଲେ ।

ସେହିପରି ମୁଖ୍ୟମନ୍ତ୍ରୀ ମହାକାଳପଡ଼ାରେ ରୋଡ଼ ଶୋ’ ରେ ଯୋଗଦେଇ କହିଥିଲେ, ‘କାଳିଆ’ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହେଲେଣି । ହେଲେ ବିଜେପି ସରକାର ଏହି ଯୋଜନାକୁ ବନ୍ଦ କରିବାକୁ ହୀନ ଚକ୍ରାନ୍ତ କରୁଛି । ଓଡ଼ିଶାର ଉନ୍ନତି ପାଇଁ ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ନିବେଦନ କରିଥିଲେ ।

Leave a comment