ନବୀନଙ୍କ ମାଷ୍ଟର କାର୍ଡ ମିନିମମ ୩୦ !

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିର୍ବାଚନ ଯେତେ ନିକଟତର ହେଉଛି ବିଜେଡ଼ିର ରଣନୀତି ବି ସେତିକି ଜୋରଦାର ହେଉଛି । ନୂଆ ନୂଆ ଯୋଜନା ସାଙ୍ଗକୁ ଟିକେଟ ବଣ୍ଟାରେ ବି ହେଉଛି ନୂଆ ଷ୍ଟାଟାଜି । ବିଜେଡ଼ି ଦାବି କରୁଥିବା ୩୩% ମହିଳା ସ୍ଥାନ ସରକ୍ଷଣକୁ ନବୀନ ପ୍ରାଧାନ୍ୟ ଦେଇଛନ୍ତି । ଏବଂ ପ୍ରତିଟି ଜିଲ୍ଲାରେ ଅତି କମରେ ଜଣେ ଲେଖାଏଁ ମହିଳାଙ୍କୁ ପ୍ରାର୍ଥୀନୀ କରିବାକୁ ନିଷ୍ପତ୍ତି ନେଇସାରିଛନ୍ତି । ଯେଉଁ ସ୍ଥାନ ଗୁଡିକରେ ବିଜେଡିର ସ୍ଥିତି ମଜଭୁତ ଅଛି ବା ଯାହା ବିଜେଡିର ଗଡ଼ ଭାବରେ ଜଣାଶୁଣା ସେସ୍ଥାନ ଗୁଡିକରେ ପୁରୁଷ ପ୍ରାର୍ଥୀ ବଦଳରେ ତାଙ୍କ ପତ୍ନୀଙ୍କୁ ନିର୍ବାଚନୀ ମଇଦାନକୁ ଓଲ୍ହାଇବାକୁ ଜୋରଦାର ଅଙ୍କକସା ଚାଲିଛି ।
ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆଗତ ହୋଇ ଥିବା ମହିଳାଙ୍କ ପାଇଁ ୩୩%ସିଟ ସଂରକ୍ଷଣ ବିଧାନସଭାରେ ପାରିତ ହେବାପରେ ଲୋକସଭାରେ ଏହା ପାରିତ ହୋଇପାରିଲା ନାହିଁ । ମୁଖ୍ୟମନ୍ତ୍ରୀଙ୍କ ଏହି ୩୩% ମହିଳାଙ୍କ ପାଇଁ ସିଟ ସଂରକ୍ଷଣ ନିଷ୍ପତ୍ତିକୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସମର୍ଥନ କରିବା ସହ କଂଗ୍ରେସ ଶାସିତ ସମସ୍ତ ରାଜ୍ୟରେ ଏହାକୁ ଲାଗୁକରାଯିବ ବୋଲି ମଧ୍ୟ କହିଥିଲେ । ସେହିପରି ଜେଡ଼ିଏସ ମୁଖ୍ୟ ଏଚ.ଡ଼ି ଦେବଗୌଡ଼ା, ଏନସିପି ମୁଖ୍ୟ ଶରଦ ପାୱାର, ଟିଆରଏସ, ଏବଂ ସିପିଆଇଏମ, ସମାଜବାଦୀ ପାର୍ଟି ଭଳି ଦଳ ନବୀନଙ୍କ ମହିଳାଙ୍କ ସିଟ ସଂରକ୍ଷଣ ସମର୍ଥନରେ ବାହାରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ କିଛି ପ୍ରତିନିଧିଙ୍କୁ ବିଭିନ୍ନ ରାଜ୍ୟକୁ ପଠାଇବା ସହ ରାଜ୍ୟସଭା ଓ ଲୋକସଭାରେ ଏହାକୁ ସମର୍ଥନ କରି ପାରିତ କରିବାକୁ ମନାଇବାକୁ ଚେଷ୍ଟା କରିଥିଲେ । ଏହି ୩୩% ମହିଳା ସିଟ ସଂରକ୍ଷଣ ରାଜ୍ୟସଭାରେ ପାରିତ ହୋଇଥିଲେ ମଧ୍ୟରେ ଲୋକସଭାରେ ଏହା ପାରିତ ହୋଇପାରିଲା ନାହିଁ । ଯଦି ଲୋକସଭାରେ ଏହା ପାରିତ ହୋଇଥାନ୍ତା ତେବେ ଏହା ଆଇନରେ ପରିଣତ ହୋଇଥାନ୍ତା ଏବଂ ସାରା ଦେଶରେ ବିଧାନସଭା ଓ ଲୋକସଭାରେ ୩୩ ପ୍ରତିଶତ ମହିଳାଙ୍କ ପାଇଁ ଆସନ ସଂରକ୍ଷଣ ରହିଥାନ୍ତା ।
ସୂଚନା ଅନୁଯାୟୀ, ୩୩% ମହିଳାମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ ପ୍ରଥମେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଦେଶରେ ପଞ୍ଚାୟତ ଓ ପୌରପାଳିକା ଗୁଡିକରେ ଲାଗୁ କରିଥିଲେ । ଯାହାକି ୨୦୧୨ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚାୟତ ଓ ପୌର ପାଳିକା କ୍ଷେତ୍ରରେ ମହିଳାମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ ୫୦ ପ୍ରତିଶତକୁ ବୃଦ୍ଧି କରିଥିଲେ । ତେଣୁ ଆଗାମୀ ସାଧାରଣ ନିର୍ବାଚନରେ ମହିଳାଙ୍କୁ ଅଗ୍ରାଧିକାର ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥିର କରିଛନ୍ତି । ଯେଉଁ ସ୍ଥାନରେ ବିଜେଡି ପ୍ରାର୍ଥୀ କୌଣସି ବିବାଦରେ ଛନ୍ଦି ହୋଇଛନ୍ତି ସେ ସ୍ଥାନରୁ ଆଶାୟୀ ମହିଳା ପ୍ରାର୍ଥୀନୀଙ୍କ ଠାରୁ ବାୟୋଡାଟା ସଂଗ୍ରହ କରିବାକୁ ଥାର୍ଡ ଫ୍ଲୋରରୁ ନିର୍ଦ୍ଦେଶ ଦିଆଯାଇଛି ।