ଇଣ୍ଡିଆ ଟୁଡେ ସର୍ଭେ : ଲୋକପ୍ରିୟତା ଶୀର୍ଷରେ ନବୀନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଏଥର ବି ମୁଖ୍ୟମନ୍ତ୍ରୀ ହେବେ ନବୀନ ପଟ୍ଟନାୟକ । ଦୀର୍ଘ ୧୯ ବର୍ଷ କ୍ଷମତାରେ ରହିବା ପରେ ମଧ୍ୟ ତାଙ୍କ ଲୋକପ୍ରିୟତା ହ୍ରାସ ପାଇନାହିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କର ଏବେ ବି ପ୍ରଥମ ପସନ୍ଦ । ଧର୍ମେନ୍ଦ୍ର ପ୍ରଧାନ ଓ ନିରଞ୍ଜନ ପଟ୍ଟନାୟକଙ୍କୁ ପଛରେ ପକାଇ ଲୋକପ୍ରିୟତାର ଶୀର୍ଷରେ ରହିଛନ୍ତି ନବୀନ ।
ସୂଚନା ଅନୁଯାୟୀ, ଇଣ୍ଡିଆ ଟୁଡେ ପଲିଟିକାଲ ଷ୍ଟକ ଏକ୍ସଚେଞ୍ଜ ପକ୍ଷରୁ ଚଳିତ ସପ୍ତାହରେ କରାଯାଇଥିବା ସର୍ଭେ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି । ସର୍ଭେ ଅନୁଯାୟୀ ନବୀନ ସର୍ବାଧିକ ୫୨ ପ୍ରତିଶତ ଭୋଟ ପାଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୬ ପ୍ରତିଶତ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ୮ ପ୍ରତିଶତ, ଭାଜପା ସଭାପତି ବସନ୍ତ ପଣ୍ଡା ଏବଂ ମନ୍ତ୍ରୀ ଜୁଏଲ ଓରାମ ୧ ପ୍ରତିଶତ ଭୋଟ ପାଇଛନ୍ତି । ସେହିପରି ନବୀନଙ୍କ ନେତୃତ୍ୱାଧୀନ ବିଜେଡି ଦଳର ଲୋକପ୍ରିୟତା ମଧ୍ୟ ବୃଦ୍ଧି ପାଇଛି । ଗତ ସେପ୍ଟେମ୍ବରରେ ଏହା ୪୪ ପ୍ରତିଶତ ଥିବାବେଳେ ଏବେ ୪୯ ପ୍ରତିଶତରେ ପହଞ୍ଚିଛି । ଫଳରେ ନିର୍ବାଚନ ଆଉ ଅଳ୍ପ ଦିନ ଥିବା ବେଳେ ନବୀନ ରାଜ୍ୟବାସୀଙ୍କ ଲୋକପ୍ରିୟତାର ଶୀର୍ଷରେ ରହି ୬ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଜଣାପଡିଛି ।