ଆଜିଠୁ ଜାତୀୟ ତୋଷାଳି ମେଳା: ମୁଖ୍ୟମନ୍ତ୍ରୀ କରିବେ ଉଦ୍ଘାଟନ
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଚଳିତବର୍ଷ ଷୋଡ଼ଶ ତୋଷାଳି ଜାତୀୟ ହସ୍ତତନ୍ତ ମେଳା ସୋମବାର ଠାରୁ ଏପ୍ରିଲ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଆୟୋଜନ ହେବାକୁ ଯାଉଛି । ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଏବଂ ଭାରତ ସରକାରଙ୍କ ହସ୍ତତନ୍ତ ମନ୍ତ୍ରଣାଳୟର ବିକାଶ ଆୟୁକ୍ତ (ହସ୍ତଶିଳ୍ପ) ଓ ବିକାଶ ଆୟୁକ୍ତ (ହସ୍ତତନ୍ତ)ଙ୍କ ସହଭାଗିତାରେ ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ (ସିଡାକ୍) ପକ୍ଷରୁ ଏହି ଜାତୀୟ ମେଳାର ପରିକଳ୍ପନା କରାଯାଇଛି ।
ଦେଶର ବିଭିନ୍ନ ସ୍ଥାନରୁ କାରିଗର ଓ ବୁଣାକାର ଏହି ମେଳାରେ ଅଂଶଗ୍ରହଣ କରି ସେମାନଙ୍କର ପାରମ୍ପରିକ ତଥା ସମସାମୟିକ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ଉତ୍ପାଦ ପ୍ରଦର୍ଶନ କରିବେ। ଚଳିତ ବର୍ଷ ମେଳାରେ ୩୯୦ଟି ହସ୍ତତନ୍ତ ଏବଂ ହସ୍ତଶିଳ୍ପ ଷ୍ଟଲ ସ୍ଥାନିତ ହେବ । ଏଥିରେ ଦେଶର ବିଭିନ୍ନ ରାଜ୍ୟରୁ ୧୫୦ ଜଣ ବୁଣାକାର ଓ କାରିଗର ଭାରତ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ହୋଇଥିବା ବେଳେ ୧୫୦ ଜଣ କାରିଗର ଏବଂ ୯୦ଜଣ ବୁଣାକାର ଯଥାକ୍ରମେ ଓଡ଼ିଶା ସରକାର ଓ ହସ୍ତତନ୍ତ ନିର୍ଦ୍ଦେଶାଳୟ ତରଫରୁ ପ୍ରାୟୋଜିତ ହୋଇଛନ୍ତି ।
ସୋମବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେଳାର ଉଦ୍ଘାଟନ କରିବେ ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗର ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଦିନ ୩ ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ମେଳା ଖୋଲା ରହିବ ।
ପ୍ରତିବର୍ଷ ଜନତା ମଇଦାନରେ ତୋଷାଳି ଜାତୀୟ ହସ୍ତତନ୍ତ ମେଳା ଆୟୋଜନ ହୋଇଥାଏ । ଏହି ମେଳା ଦେଶର ବାର୍ଷିକ ଉତ୍ସବ କ୍ୟାଲେଣ୍ଡରରେ ନିଜର ଏକ ନିଆରା ସ୍ଥାନ ନିରୁପଣ କରିସାରିଛି । ଚଳିତବର୍ଷ ମେଳାର ‘ଥିମ୍ ପାଭିଲିଅନ୍’ରେ ସଂକଳ୍ପ ଜାତୀୟ ପ୍ରକଳ୍ପ ଅଧୀନରେ କେନ୍ଦ୍ରାପଡ଼ାର କାଇଁଚ ହସ୍ତଶିଳ୍ପକୁ ପ୍ରଦର୍ଶନ କରାଯିବ । ଏହି ବର୍ଷ ମେଳାକୁ ସୁଗମ୍ୟ ସହିତ ବାର୍ଦ୍ଧକ୍ୟ ତଥା ଦିବ୍ୟାଙ୍ଗ ହିତପୋଯୋଗୀ ବନ୍ଧୁତ୍ୱପୂର୍ଣ୍ଣ ବାତାବରଣରେ ଅନୁଷ୍ଠିତ ଦେବାକୁ ସ୍ଥିର କରାଯାଇଛି ।