ସ୍ପୋର୍ଟସ କମ୍ପ୍ଲେକ୍ସରେ ପ୍ରଶିକ୍ଷଣ ନେବେ ଜାତୀୟ ଓ ଅନ୍ତର୍ଜାତୀୟ ଖେଳାଳି । ପଢନ୍ତୁ କେଉଁ କେଉଁ ଜିଲ୍ଲାରେ ନିର୍ମାଣ ହେବ ସ୍ପୋର୍ଟସ କମ୍ପ୍ଲେକ୍ସ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟର ୪ଟି ଜିଲାରେ ନିର୍ମାଣ ହେବ ସ୍ପୋର୍ଟସ କମ୍ପ୍ଲେକ୍ସ । କ୍ରୀଡ଼ାର ବିକାଶ ପାଇଁ ବରଗଡ଼, ଢେଙ୍କାନାଳ, ଝାରସୁଗୁଡ଼ା ଏବଂ ସମ୍ବଲପୁରରେ ସ୍ପୋର୍ଟସ କମ୍ପ୍ଲେକ୍ସ ନିର୍ମାଣ କରାଯିବ । ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ ସରିଥିବା ବେଳେ ଖୁବ୍‌ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ଶୁକ୍ରବାର ବିଧାନସଭା ପ୍ରଶ୍ନୋତ୍ତର ବେଳେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି ସୂଚନା ଦେଇଛନ୍ତି । ଏହି ସ୍ପୋର୍ଟସ କମ୍ପ୍ଲେକ୍ସରେ ଜାତୀୟ ଓ ଅନ୍ତର୍ଜାତୀୟ ଖେଳାଳିମାନଙ୍କୁ ପ୍ରଶିକ୍ଷଣ ଦିଆଯିବ ।

ସେହିପରି ସହରାଞ୍ଚଳରେ କ୍ରୀଡ଼ାର ବିକାଶ ପାଇଁ ମିନି ଷ୍ଟାଡିୟମ୍‌ମାନ ନିର୍ମାଣ କରାଯାଉଛି । ଏଥିପାଇଁ କେନ୍ଦ୍ର ସରକାରଙ୍କ ‘ଖେଲୋ ଇଣ୍ଡିଆ’ ଯୋଜନାରେ ଅର୍ଥ ଯୋଗାଇ ଦିଆଯାଉଛି। ଅପରପକ୍ଷରେ କଳିଙ୍ଗ ଷ୍ଟାଡିୟମ୍‌ରେ ଫିଫା ୧୭ ବର୍ଷରୁ କମ୍‌ ମହିଳା ଫୁଟ୍‌ବଲ୍‌ ବିଶ୍ୱକପ୍‌ ପ୍ରତିଯୋଗିତା ୨୦୨୦ର ଆୟୋଜନ ପାଇଁ ରାଜ୍ୟ ସରକାର ପ୍ରସ୍ତାବ ଦେଇଥିବା କ୍ରୀଡା ମନ୍ତ୍ରୀ ବେହେରା କହିଛନ୍ତି । ଏଥିସହିତ ୨୦୧୯ ଡିସେମ୍ବର ୫ରୁ ୮ ତାରିଖ ପର୍ଯ୍ୟନ୍ତ ନ୍ୟାଶନାଲ ସ୍ପୋର୍ଟସ କ୍ଲାଇମ୍ବିଂ କମ୍ପିଟିଶନ୍‌ କଳିଙ୍ଗ ଷ୍ଟାଡିୟମ୍‌ରେ ହେବ ବୋଲି ମନ୍ତ୍ରୀ ବେହେରା ସୂଚନା ଦେଇଛନ୍ତି । ଉପରୋକ୍ତ କ୍ରୀଡ଼ା ମହାସଂଘଙ୍କ ସହମତି ଏବଂ ରାଜ୍ୟ ସରକାରଙ୍କ ଅନୁମୋଦନ ପରେ କଳିଙ୍ଗ ଷ୍ଟାଡିୟମ୍‌ରେ ସେହି କ୍ରୀଡ଼ାଗୁଡିକ ଆୟୋଜନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । 

Leave a comment