ଓଡ଼ିଆ ସିନେ ସମୀକ୍ଷକ ସୂର୍ଯ୍ୟ ଦେଓଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମ୍ମାନ; ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ମନୋରଞ୍ଜନ ଜଗତର ସର୍ବଶ୍ରେଷ୍ଠ ପ୍ରତିଭାକୁ ପୁରସ୍କୃତ କରିବା ପାଇଁ ଆଜି ଘୋଷଣା ହୋଇଛି ୬୮ତମ ଜାତୀୟ ଫିଲ୍ମ ପୁରସ୍କାର । ଏହି ସମ୍ମାନରେ ଓଡ଼ିଆ ସିନେ ସମୀକ୍ଷକ ସୂର୍ଯ୍ୟ ଦେଓ ସମ୍ମାନିତ ହୋଇଛନ୍ତି । ତାଙ୍କ ଲିଖିତ ‘କାଲି ପାଇଁ କାଲି’ର ସିନେମା ପୁସ୍ତକ ପାଇଁ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ଏହା ଜଣାପଡ଼ିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ପୁସ୍ତକ ବିବେଚିତ ହେବା ଅତ୍ୟନ୍ତ ଖୁସିର ବିଷୟ ବୋଲି ପ୍ରକାଶ କରିଛନ୍ତି।
ସିନେମାରେ ଅଧିକ ଗବେଷଣା କ୍ଷେତ୍ରରେ ଏହି ପୁସ୍ତକ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ବିଶିଷ୍ଟ ସିନେ ଗବେଷକ ତଥା ସଂରକ୍ଷକ ସୂର୍ଯ୍ୟ ଦେଓଙ୍କ ଲିଖିତ ପୁସ୍ତକ 'କାଲି ପାଇଁ କାଲିର ସିନେମା' ୬୮ତମ #NationalFilmAwards ରେ ଶ୍ରେଷ୍ଠ ପୁସ୍ତକ ବିବେଚିତ ହେବା ଅତ୍ୟନ୍ତ ଖୁସିର ବିଷୟ। ସିନେମାରେ ଅଧିକ ଗବେଷଣା କ୍ଷେତ୍ରରେ ଏହି ପୁସ୍ତକ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ତାଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି।
— Naveen Patnaik (@Naveen_Odisha) July 22, 2022
ସୂର୍ଯ୍ୟ ଦେଓ ଓଡ଼ିଆ ସିନେମା ଓ ଗୀତ ସମ୍ପର୍କରେ ଲେଖିଥାନ୍ତି । ତେବେ ତାଙ୍କର ଏହି ପୁସ୍ତକଟି ପକ୍ଷୀଘର ପ୍ରକାଶନୀ ପକ୍ଷରୁ ପ୍ରକାଶିତ କରାଯାଇଥିଲା । ଏକମାତ୍ର ଓଡ଼ିଆ ଭାବେ ସୂର୍ଯ୍ୟ ଦେଓଙ୍କୁ ଜାତୀୟ ପୁରସ୍କାର ମିଳିଛି । ଓଡ଼ିଶାର କୌଣସି ଫିଲ୍ମକୁ ଜାତୀୟ ପୁରସ୍କାର ମିଳିନାହିଁ । କେବଳ ପୁସ୍ତକ ପାଇଁ ସୂର୍ଯ୍ୟ ଦେଓ ପୁରସ୍କାର ପାଇବେ । ସୂର୍ଯ୍ୟ ତାଙ୍କର ରଚିତ ପୁସ୍ତକ ‘କାଲି ପାଇଁ କାଲିର ସିନେମା’ ପାଇଁ ଏହି ସମ୍ମାନ ପାଇବାକୁ ଯାଉଛନ୍ତି ।