ଆସନ୍ତାକାଲିଠୁ ନାମାଙ୍କନ, ୬୭୯୩ ସରପଞ୍ଚ ଏବଂ ୮୫୩ ଜିଲ୍ଳା ପରିଷଦ ପାଇଁ ହେବ ଲଢେଇ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତାକାଲିଠୁ ହେବ ନାମାଙ୍କନ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ନାମାଙ୍କନ ପତ୍ର ଦାଖଲ କରିବେ ପ୍ରାର୍ଥୀ। ଜାନୁଆରୀ ୧୭ରୁ ଜାନୁଆରୀ ୨୧ ଯାଏ ନାମାଙ୍କନ ଚାଲିବ । ଏଥର ୮୫୩ ଜିଲ୍ଳାପରିଷଦ, ୬୭୯୩ ସରପଞ୍ଚ, ୬୭୯୩ ସମିତିସଭ୍ୟ ଏବଂ ୯୧,୯୧୬ ଓ୍ବାର୍ଡ ସଭ୍ୟ ପଦବୀ ଲାଗି, ୫ ଦିନ ଧରି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଚାଲିବ । ୱାର୍ଡ ସଭ୍ୟ ଏବଂ ସରପଞ୍ଚ ପ୍ରାର୍ଥୀ, ନିଜ ପଞ୍ଚାୟତ ଅଫିସରେ ପ୍ରାର୍ଥୀ ପତ୍ର ଦାଖଲ କରିବେ । ସମିତି ସଭ୍ୟ ପ୍ରାର୍ଥୀ ବ୍ଲକ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରିବେ । ଉପଜିଲ୍ଲାପାଳଙ୍କ ଅଫିସରେ ଜିଲ୍ଲା ପରିଷଦ ପ୍ରାର୍ଥୀ ନୋମିନେସନ୍ ଭରିବେ । ପଞ୍ଚାୟତରେ ଦାୟିତ୍ବରେ ଥିବା ନୋଡାଲ ଅଫିସରଙ୍କୁ ପ୍ରଶିକ୍ଷଣ ଦିଆ ଯାଇଛି । କୋଭିଡ କଟକଣା ଥିବାରୁ ନାମାଙ୍କନ ସମୟରେ ପ୍ରାର୍ଥୀ ମାନେ ଶୋଭାଯାତ୍ରା କରିପାରିବେ ନାହିଁ। ଏପଟେ ନାମାଙ୍କନ ପତ୍ର ଦାଖଲ ଓ ଯାଞ୍ଚ ଲାଗି ବ୍ଲକ ସ୍ତରରେ ପ୍ରଶାସନିକ ପ୍ରସ୍ତୁତି ସରିଛି ।

ନାମାଙ୍କନ ଦାଖଲ ସମୟ ଆସିଗଲାଣି ହେଲେ ପ୍ରାର୍ଥୀ ଚୁଡାନ୍ତ କରିବାକୁ ପଲିଟିକାଲ ପାର୍ଟି ମାନଙ୍କ କସରତ ସରୁନି । କେଉଁ ଆଶାୟୀଙ୍କ ଟିକେଟ କାଟି କାହାକୁ ଟିକେଟ ଦେଲେ ଚିତାପଟ ହେବ ସେଇ ଅଙ୍କ କଷିବାରେ ବ୍ୟସ୍ତ ଉଭୟ ଶାସକ ଓ ବିରୋଧୀ । ବିଜେଡିର ସମର୍ଥନ ପାଇବାକୁ ଆଶାୟୀଙ୍କ ଭିଡ ବେଶୀ । ତେଣୁ ସମସ୍ତଙ୍କୁ ବୁଝା ସୁଝା କରି ଦଳକୁ ଟିକେଟ ବାଣ୍ଟିବାକୁ ହେବ । ଅଧିକାଂଶ ଟିକେଟ ଫାଇନାଲ ହୋଇ ସାରିଥିବାବେଳେ ଖୁବ ଶୀଘ୍ର ବାକି ଟିକେଟ ଫାଇନାଲ ହୋଇଯିବ ବୋଲି ବିଜେଡି କହିଛି । ବିଜେପି କହିଛି ସଂରକ୍ଷଣ ତାଲିକା ବଦଳିବାରୁ ପ୍ରାର୍ଥୀ ତାଲିକା ବଦଳାଇବାକୁ ପଡିଲା । ତେବେ ୭୦ ପ୍ରତିଶତ ପ୍ରାର୍ଥୀ ଚୁଡାନ୍ତ ହୋଇ ସାରିଛନ୍ତି , ବାକି ସିଟ ଲାଗି ପଞ୍ଚାୟତ କମିଟିଠୁ ଆରମ୍ଭ କରି ରାଜ୍ୟକମିଟି ଯାଏ ସବୁ ସ୍ତରରେ ଏନେଇ ପ୍ରକ୍ରିୟା ଚାଲିଛି । କଂଗ୍ରେସ କହିଛି କାଲି ସୁଦ୍ଧା ସବୁ ଟିକେଟ ବଣ୍ଟା ସରିବ ।

ଆାସନ୍ତା ୨୨ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ଏବଂ ୨୫ ତାରିଖରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର । ସେହି ଦିନ ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ।ଆଉ ତା ପରେ କୋଭିଡ କଟକଣା ଭିତରେ ଚାଲିବ ଡୋର ଡୁ ଡୋର କ୍ୟାମ୍ପେନ ।

Leave a comment