ଶ୍ରୀଜିଉଙ୍କ ନବଯୌବନ ଦର୍ଶନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବିଶ୍ବନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥ ନବଯୌବନ ବେଶରେ ଦର୍ଶନ ଦେଇଛନ୍ତି । ବନକଲାଗି ନୀତି ସମ୍ପନ୍ନ ହେବା ପରେ ପ୍ରଭୁଙ୍କ ନବଯୌବନ ଦର୍ଶନ ଅନୁଷ୍ଠିତ ହୋଇଥିଲା । ଆସନ୍ତା ଦୁଇ ଦିନ ଧରି ପ୍ରଭୁଙ୍କ ଉଭାଯାତ୍ରା ଅନୁଷ୍ଠିତ ହେବ । ସେପଟେ ରଥଯାତ୍ରା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ।
ଆଷାଢ଼ କୃଷ୍ଣ ଚତୁର୍ଦ୍ଦଶୀରେ ମହାପ୍ରଭୁଙ୍କ ବନକ ଲାଗି ନୀତି ଆରମ୍ଭ ହୋଇ ଦୀର୍ଘସମୟ ଧରି ଚାଲି ଶୁକ୍ରବାର ସମ୍ପନ୍ନ ହୋଇଥିଲା। ଦତ୍ତମହାପାତ୍ର ସେବାୟତଙ୍କ ଦ୍ବାରା ବନକଲାଗି କରାଯାଇଥିଲା । ଶ୍ରୀମନ୍ଦିରରେ ଅବକାଶ ନୀତି ସରିବା ପରେ ଦଶଅବତାର ତାଟିଦିଅଁ ବା ପଟିଦିଅଁ ଦକ୍ଷିଣୀ ଘରକୁ ବାହୁଡା ବିଜେ କରିଥିଲେ। ଏହାପରେ ଆରମ୍ଭ ହୋଇଥିଲା ନବଯୌବନ ଦର୍ଶନ।
କରୋନା ମହାମାରୀ ପାଇଁ ଶ୍ରୀମନ୍ଦିରରେ ସର୍ବସାଧାରଣଙ୍କ ଦର୍ଶନ ପାଇଁ ବନ୍ଦ ରହିଥିବାରୁ ଭକ୍ତମାନେ ମହାପ୍ରଭୁଙ୍କ ଏହି ଅପରୂପ ବେଶ ଦର୍ଶନରୁ ବଞ୍ଚିତ ରହିଥିଲେ। କେବଳ ଶ୍ରୀମନ୍ଦିର ସମ୍ମୁଖ ବ୍ୟାରିକେଟ୍ ବାହାରୁ ପତିତପାବନଙ୍କୁ ଦର୍ଶନ କରିଥିଲେ। ପୂଜାପଣ୍ଡା ସାମନ୍ତଙ୍କ ଦ୍ବାରା ପତିତପାବନଙ୍କ ବେଶ, ଆଳତୀ ଓ ଭୋଗ କରାଯାଇଥିଲା। ଏହି ଦୃଶ୍ୟ ଥିଲା ଅତ୍ୟନ୍ତ ଭାବଗମ୍ଭୀର, ଆଧ୍ୟାତ୍ମିକ ପରିବେଶ। ଏହାପରେ ଦଇତାପତିମାନେ ସର୍ବାଙ୍ଗ ଓ ବନ୍ଦାପନା କରିଥିଲେ। ନେତ୍ରୋତ୍ସବ ବନ୍ଦାପନା, ରାଜନୀତି ହୋଇ ଯାତ୍ରାଙ୍ଗୀ ମହାସ୍ନାନ ହୋଇଥିଲା। ପ୍ରତିବର୍ଷ ନବଯୌବନ ଦର୍ଶନରେ ସାହାଣମେଲା ଓ ପରିମାଣିକ ଟିକେଟ୍ ଦର୍ଶନ ହେଉଥିବାବେଳେ ଚଳିତବର୍ଷ ଏହା ବନ୍ଦ ରହିଛି।
ଆସନ୍ତା ଦୁଇ ଦିନ ଧରି ଉଭା ଯାତ୍ରା। ୧୧ତାରିଖ ଦିନ ଶ୍ରୀମନ୍ଦିରରେ ସକାଳ ଧୂପ ସରିବା ପରେ ରଥଖଳାକୁ ଆଜ୍ଞାମାଳ ବିଜେ କରିବେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର, ଜିଲ୍ଲାପାଳ, ଏସପି, ଶ୍ରୀମନ୍ଦିର ନୀତି ଓ ଉନ୍ନୟନ ପ୍ରଶାସକ ଓ ଉପଜିଲ୍ଲାପାଳ ପ୍ରମୁଖ ଶ୍ରୀମନ୍ଦିର ଯାଇ ଅନୁଧ୍ୟାନ କରିବା ସହ ପ୍ରଭୁଙ୍କ ଏହି ଦିବ୍ୟ ଓ ପବିତ୍ର ନବଯୌବନ ଦର୍ଶନ କରିଥିଲେ। ସବୁ ସେବାୟତଙ୍କ ସହଯୋଗରେ ପ୍ରଭୁଙ୍କ ନୀତିକାନ୍ତି ସୁରୁଖୁରୁରେ ଚାଲିଛି।
ଗୁରୁବାରଠାରୁ ତିନିରଥରେ କନା ପଡିବା ଆରମ୍ଭ ହୋଇଛି। ରଥକନା ମଣ୍ଡଣୀ ଶନିବାର ସୁଦ୍ଧା ସମ୍ପୂର୍ଣ୍ଣ ହେବ। ସେପଟେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ସେବାୟତଙ୍କ ଆରଟିପିସିଆର ଟେଷ୍ଟ ଚାଲିଛି। ପ୍ରାୟ ୨୦୦୦ ସେବାୟତଙ୍କ କୋଭିଡ ଟେଷ୍ଟ ସରିଛି। ନେଗେଟିଭ ରିପୋର୍ଟ ଆସିଥିବା ସେବାୟତଙ୍କୁ ନିଯୋଗ ପକ୍ଷରୁ ପାସ୍ ପ୍ରଦାନ କରାଯାଇଛି। ଶ୍ରୀମନ୍ଦିର ସିଂହଦ୍ବାର ନିକଟ ରଥ ରହିବା ସ୍ଥାନକୁ ହ୍ବାଇଟ୍ ଏନାମେଲ କରାଯାଇଛି। ଉଭୟ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ସରିଛି ।
୧୧ ତାରିଖ ରାତି ୮ରୁ ୧୩ ତାରିଖ ରାତି ୮ପର୍ଯ୍ୟନ୍ତ ପୁରୀ ସହରରେ କର୍ଫ୍ୟୁ ଜାରି କରାଯିବ। ଏଥିପାଇଁ ଶନିବାର ସହରରେ ସଟଡାଉନକୁ କୋହଳ କରାଯାଇଛି। ସମସ୍ତଙ୍କ ସହଯୋଗରେ ରଥଯାତ୍ରାକୁ କୋଭିଡ୍ କଟକଣା ଭିତରେ ସାରିବାକୁ ସମସ୍ତେ ଲାଗିପଡିଛନ୍ତି ।