କମିଶନରେଟ ପୋଲିସକୁ ଦୁର୍ବୃତ୍ତଙ୍କ ଖୋଲା ଚ୍ୟାଲେଞ୍ଜ, ରାସ୍ତାରେ ଗୋଡେଇ ଗୋଡେଇ ହାଣିଲେ, ଦେଖନ୍ତୁ ଭିଡ଼ିଓ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜଧାନୀରେ ଭୁଶୁଡିବାରେ ଲାଗିଛି ପୋଲିସ ସୁରକ୍ଷା ବ୍ୟବସ୍ଥା । କମିଶନରେଟ ପୋଲିସକୁ ଅପରାଧୀ କରୁଛନ୍ତି ଖୋଲା ଚ୍ୟାଲେଞ୍ଜ । କିଞ୍ଚିତ ମାତ୍ରାରେ ପୋଲିସର ଭୟ ନାହିଁ ଅପରାଧୀଙ୍କ ମନରେ । ବିଚ ରାସ୍ତାରେ ଜଣେ ବ୍ୟକ୍ତିଙ୍କୁ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୃତ୍ତ । ଲିଙ୍ଗରାଜ ଥାନା ଅଧିନସ୍ଥ ସାମନ୍ତରାୟପୁର ପୁରୀ-ରୋଡରେ ଘଟିଛି ଏହି ବିଭତ୍ସ ହତ୍ୟାକାଣ୍ଡ । ମୃତ ବ୍ୟବସାୟୀ ଜଣଙ୍କ ଶମ୍ଭୁ ପ୍ରଧାନ ବୋଲି ଜଣାପଡିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଶମ୍ଭୁଙ୍କୁ ହାଣିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।

ସୂଚନା ଅନୁଯାୟୀ, ଦୁଇ ଜଣ ଯୁବକ ଏକ ବାଇକରେ ଆସି ଅତର୍କିତ ଭାବେ ସାମନ୍ତରାପୁରରେ ମିଠା ବ୍ୟବସାୟୀ ଶମ୍ଭୁଙ୍କୁ ହାଣି ପକାଇଥିଲେ । ଘଟଣାସ୍ଥଳରେ ହିଁ ଶମ୍ଭୁଙ୍କ ମୃତ୍ୟୁ ହୋଇଯାଇଥିଲା । ହତ୍ୟାକାଣ୍ଡ ଘଟଣାର ସିସିଫୁଟେଜକୁ ପୁଲିସ ଜବତ କରି ଘଟଣାର ତଦନ୍ତ କରୁଛି । ଅପରପକ୍ଷରେ ସ୍ଥାନୀୟ ଲୋକେ ପୁରୀ- ସାମନ୍ତରାପୁର ରାସ୍ତାକୁ ଅବରୋଧ କରିବା ସହ ଅପରାଧୀମାନଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ।

ସେହିପରି ୧୫ ଦିନ ତଳେ ଖଣ୍ଡଗିରି ଭରତପୁରରେ ଜଣେ ନାବାଳକକୁ ଅତି ବିଭତ୍ସ ଭାବେ ହତ୍ୟା କରିବା ଘଟଣାର କୌଣସି ଟେର ପାଉନି ପୋଲିସ ।ଏସମସ୍ତ ଘଟଣାକୁ ଦେଖି ରାଜଧାନୀରେ ନିଜକୁ ସୁରକ୍ଷିତ ମଣୁନାହାନ୍ତି ସାଧାରଣ ଜନତା । ଅପରାଧୀ ପୋଲିସକୁ ଚ୍ୟାଲେଞ୍ଜ ଦେଇ ଘଟାଇ ଚାଲିଛନ୍ତି ଗୋଟେ ପରେ ଗୋଟେ ଅପରାଧ । କମିଶନରେଟ ପୋଲିସ ଏଠାରେ ନିରବଦ୍ରଷ୍ଟା ସାଜି କେବଳ ତଦନ୍ତ କରୁଥିବା ଚର୍ଚ୍ଚା ହେଉଛି ।

Leave a comment