ପଶ୍ଚିମବଙ୍ଗ କୃଷ୍ଣାଗଞ୍ଜ ବିଧାୟକଙ୍କୁ ଗୁଳିକରି ହତ୍ୟା, ହତ୍ୟା ପାଇଁ ବିଜେପି ଓ ମୁକୁଲ ରାୟଙ୍କୁ ଦାୟୀକଲା ଟିଏମସି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଶ୍ଚିମବଙ୍ଗରେ ପ୍ରାକ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ପଶ୍ଚିମବଙ୍ଗର କୃଷ୍ଣାଗଞ୍ଜ ତୃଣମୂଳ କଂଗ୍ରେସର ବିଧାୟକ ସତ୍ୟଜିତ ବିଶ୍ବାସଙ୍କୁ ନଦିୟା ଜିଲ୍ଲାରେ ଗୁଳିକରି ହତ୍ୟା କରାଯାଇଛି ।
ସୂଚନା ଅନୁଯାୟୀ, ସତ୍ୟଜିତ ନିଜ ନିର୍ବାଚନ ମଣ୍ଡଳୀରେ ଏକ ସରସ୍ବତୀ ପୂଜା ପେଣ୍ଡାଲକୁ ଯାଇଥିବା ସମୟରେ ତାଙ୍କ ଉପରକୁ ଗୁଳିଚଳନା ହୋଇଥିଲା । ସତ୍ୟଜିତଙ୍କୁ ତୁରନ୍ତ ନିକଟସ୍ଥ ଶକ୍ତିନଗର ଜିଲ୍ଲା ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ । ସତ୍ୟଜିତ ମାତୁଆ ସଂପ୍ରଦାୟର ଜଣେ ଲୋକପ୍ରିୟ ନେତାଥିଲେ । ଜାତିଆଣ ରାଜନୀତିର ସତ୍ୟଜିତ ଶିକାର ହୋଇଥିବା ଓ ତାଙ୍କ ହତ୍ୟା ପଛରେ ବିଜେପିର ହାତଥିବା ଅଭିଯୋଗ ହେଉଛି ।
ସେହିପରି ତୃଣମୂଳ କଂଗ୍ରେସର ଜିଲ୍ଲା ସଭାପତି ଗୌରୀଶଙ୍କର ଦତ୍ତ କହିଛନ୍ତି,” ସତ୍ୟଜିତଙ୍କ ହତ୍ୟା ପାଇଁ ବିଜେପି ଏବଂ ମୁକୁଲ ରାୟଙ୍କ ସମର୍ଥକମାନେ ଦାୟୀ “। ଅପରପକ୍ଷରେ ଏହି ଅଭିଯୋଗକୁ ବିଜେପି ରାଜ୍ୟ ସଭାପତି ଦିଲ୍ଲୀପ ଘୋଷ ଖଣ୍ଡନ କରି କହିଛନ୍ତି, ” ଏହା ଟିଏମସିରେ ଚାଲିଥିବା ଗୋଷ୍ଠୀ କନ୍ଦଳର ପରିଣତି “। ବିଧାୟକଙ୍କ ହତ୍ୟା ମାମଲାର ସିବିଆଇ ତଦନ୍ତ ପାଇଁ ଦିଲ୍ଲୀପ ଦାବି କରିବା ସହ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରାଯିବାକୁ ଗୁରୁତ୍ୱ ଦେଇଛନ୍ତି ।