ପୂର୍ବତନ ବିଧାୟକ ପ୍ରାର୍ଥୀଙ୍କୁ ହତ୍ୟା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିର୍ବାଚନକୁ ଆଉ ହାତ ଗଣତି କିଛି ଦିନ ରହିଥିବା ବେଳେ କେନ୍ଦୁଝର ଜିଲ୍ଲା ଘଷିପୁରା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି । ଜଣେ ପୂର୍ବତନ ବିଧାୟକ ପ୍ରାର୍ଥୀଙ୍କ ହାତ ଗୋଡ଼ କାଟି ହତ୍ୟା କରାଯାଇଛି ।
ସୂଚନା ଅନୁଯାୟୀ, ଘଷିପୁରା ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ସ୍ୱାଧୀନ ପ୍ରାର୍ଥୀ ଏବଂ ଆନନ୍ଦପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ରାମଚନ୍ଦ୍ର ବେହେରାଙ୍କୁ କିଛି ଦୁର୍ବୃତ୍ତ ଧକୋଟା ସ୍ଥିତ ବାସଭବନରୁ ଡାକି ନେଇଥିଲେ । ଘର ବାହାରେ ଲୁଚି ରହିଥିବା ୪ରୁ ୫ଜଣ ଦୁର୍ବୃତ୍ତ ଖଣ୍ଡ ଏବଂ ଭୁଜାଲିରେ ରାମଚନ୍ଦ୍ରଙ୍କ ହାତ ଗୋଡ଼କୁ ହାଣି ପକାଇଥିଲେ । ରାମଚନ୍ଦ୍ରଙ୍କ ଝିଅ ଏହାଦେଖି ଚିତ୍କାର କରିବାରୁ ଦୁର୍ବୃତ୍ତ ସେସ୍ଥାନରୁ ଖସି ପଳାଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲ ନେବାବେଳେ ତାଙ୍କର ମୃତ୍ୟୁ ହୋଇଛି । ରାଜନୈତିକ କାରଣରୁ ରାମଚନ୍ଦ୍ରଙ୍କ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ପୋଲିସ ଘଟଣା ତଦନ୍ତ ଆରମ୍ଭ କରିବା ସହ ଘଟଣାରେ ସଂପୃକ୍ତ ୪ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।