ବିଜେପି ନେତାଙ୍କୁ ହତ୍ୟା, ତଦନ୍ତ ନିର୍ଦ୍ଦେଶ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ରାତି ପ୍ରାୟ ୧୧ଟା ବେଳେ ଖୋର୍ଦ୍ଧାର ବିଜେପି ମଣ୍ଡଳ ସଭାପତି ମଙ୍ଗୁଳି ଜେନାଙ୍କୁ ବିଜେପି କାର୍ଯ୍ୟାଳୟ ନିକଟରେ ଦୁଇ ଜଣ ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଥିଲେ । ହତ୍ୟାକାଣ୍ଡର କାରଣ ଜଣାପଡି ନଥିବା ବେଳେ ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଯାଇଥିବା କୁହାଯାଉଛି । ମଙ୍ଗୁଳିଙ୍କ ହତ୍ୟା ଘଟଣାର ପ୍ରତିବାଦରେ ଆଜି ଖୋର୍ଦ୍ଧା ବନ୍ଦ ଡାକରା ଦେଇଛି ବିଜେପି । ଏଥିସହିତ ଖୋର୍ଦ୍ଧା ଟାଉନ୍ ଥାନା ଆଗରେ ବିଜେପି କର୍ମୀମାନେ ଆଜି ସକାଳୁ ଧାରଣାରେ ବସିଛନ୍ତି । ଏହି ଧାରଣାରେ ବିଜେପିର ସ୍ଥାନୀୟ ବିଧାୟକ ପ୍ରାର୍ଥୀ ଓ ଏମପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ସମେତ ଦଳର ବହୁ ନେତା କର୍ମୀ ସାମିଲ ହୋଇଛନ୍ତି । ମଙ୍ଗୁଳିଙ୍କ ହତ୍ୟା ଘଟଣାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଃଖ ପ୍ରକାଶ କରିଛନ୍ତି । ଏଥିସହ ସେ ଟ୍ୱିଟ୍‌ କରି କହିଛନ୍ତି, ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ । ଗଣତନ୍ତ୍ର ବାଲାଟ୍‌ର ଲଢ଼େଇ, ବୁଲେଟ୍‌ରେ ନୁହେଁ । ସେହିପରି ଖୋର୍ଦ୍ଧାରେ ବିଜେପି ନେତା ମଙ୍ଗୁଳି ଜେନା ହତ୍ୟା ଘଟଣାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୃଢ ନିନ୍ଦା କରିଛନ୍ତି । ଏଥିସହିତ ମୃତକଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ ବୋଲି କହିଛନ୍ତି । ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିର୍ବାଚନ କମିଶନଙ୍କୁ ଅନୁରୋଧ କରିଛନ୍ତି । କମିଶନ ପୁଲିସକୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେବାକୁ କହିଛନ୍ତି ।

Leave a comment