ରାଜଧାନୀ ଡବଲ ମର୍ଡର: ମୁଖ୍ୟ ଅଭିଯୁକ୍ତ ସମେତ ୬ଜଣ ଗିରଫ

0

ଭୁବନେଶ୍ୱର : ହୋଲିବେଳେ ରାଜଧାନୀରେ ଘଟିଥିବା ଦୁଇଟି ହତ୍ୟାକାଣ୍ଡରେ ପୋଲିସକୁ ସଫଳତା ମିଳିଛି । ପୋଲିସ ଏହି ଦୁଇ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ୬ଜଣଙ୍କୁ ଗିରଫ କରିଛି । ମଞ୍ଚେଶ୍ୱର ଘଟଣାରେ ୪ ଓ ଶହୀଦନଗର ମାମଲାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ମାତ୍ର ମଞ୍ଚେଶ୍ୱର ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ମିିଲୁ ଓରଫ ତନ୍ମୟ ବେହେରା ଗିରଫଦାରି ଭୟରେ ଡିମିରି ଫଳ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲା । ପୋଲିସ ତାକୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିବା ସହ ଗିରଫ କରିଛି ।

ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ସୂଚନା ଅନୁସାରେ, ମଞ୍ଚେଶ୍ୱର ଶିଳ୍ପାଂଚଳରେ ଘଟିଥିବା ଆୟୁଷ୍ମାନ ପତି (୩୦) ହତ୍ୟା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ମିିଲୁ ବେହେରା ସମେତ ୪ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ମିିଲୁର ଦୁଇ ଭାଇ ଲୁଲୁ ଓରଫ ପଦ୍ମନାଭ ବେହେରା, ବୁଲୁ ଓରଫ ପ୍ରଶାନ୍ତ ବେହେରା ଓ ଡ୍ରାଇଭର ସମୀର ସ୍ୱାଇଁ । ଏମାନେ ସମସ୍ତେ ତାଙ୍କୁ ସହଯୋଗ କରିଥିଲେ । ତେବେ ପୂର୍ବ ବିବାଦ ଓ ରଙ୍ଗ ଖେଳକୁ ନେଇ ହତ୍ୟାକାଣ୍ଡ ଘଟିଛି ।

ଘଟଣା ଦିନ ଅର୍ଥାତ ଗତକାଲି ଅପରାହ୍ନ ପ୍ରାୟ ୨ଟା ବେଳେ ମଞ୍ଚେଶ୍ୱର ଶିଳ୍ପାଂଚଳ ରାସ୍ତାର ମିିଲୁ ବେହେରା ଓ ତାର ୩ ଜଣ ସହଯୋଗୀ ହୋଲି ଖେଳୁଥିଲେ । ସମସ୍ତେ ନିଶାସକ୍ତ ଅବସ୍ଥାରେ ଥିଲେ । ଏହି ସମୟରେ ସେହି ଅଂଚଳର ଆୟୁଷ୍ମାନ ପତି (୩୦) ନିଜ ସ୍କୁଟିରେ ଫେରିଥିଲେ । ସେମାନେ ତାଙ୍କୁ ଅଟକାଇ ରଙ୍ଗ ମାରିବା ସହ ଗାଳି ଗୁଲଜ କରିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ।

ପରେ ଉଭୟଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା । ଏହି ସମୟର ନିଲୁ ଓ ତାର ସହଯୋଗୀମାନେ ବ୍ଲେଡ ଓ ଛୁରୀ ସାହାଯ୍ୟରେ ତାଙ୍କୁ ଆକ୍ରମଣ କରିଥିଲେ । ସଂଘବଦ୍ଧ ଆକ୍ରମଣରେ ଗୁରୁତର ଆହତ ହୋଇ ଅଂଶୁମାନ ସେଠାରୁ ଦୌଡ଼ି ପଳାଇଯାଇଥିଲେ । କିଛି ବାଟ ଯିବା ପରେ ଏକ ଗଛ ମୂଳେ ପଡ଼ି ଯାଇଥିଲେ । ସେଠାରେ ଉପସ୍ଥିତ ଥିବା ଲୋକେ ତୁରନ୍ତ ଆମ୍ବୁଲାନ୍ସ ଡାକି ତାଙ୍କୁ ହସ୍ପିଟାଲ ପଠାଇଥିଲେ । ସେଠାରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା ।

ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ମିିଲୁ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ତାର ଦୁଇ ଭାଇ ଓ ଡ୍ରାଇଭର ତାଙ୍କୁ ପ୍ରଥମେ ଏକ କାର ଓ ପରେ ଅଟୋରେ ନେଇ ନୟାଗଡ ପଳାଇଯାଇଥିଲେ । ସେଠାରୁ ସେ ଫେରି ରାଜ୍ୟ ବାହାରକୁ ଯିବାକୁ ଉଦ୍ୟମ କରୁଥିଲେ । ପୋଲିସ ତାଙ୍କୁ ପିଛା କରୁଥିବା ସେ ବୋଧହୁଏ ଜାଣିପାରିଥିଲା । ପରେ ପିପିଲି ନିକଟରେ କିଛି ଡିମିରି ଫଳ ଖାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା ।

ଏହା ଜଣାପଡିବା ପରେ ପୋଲିସ ଟିମ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତାକୁ ଉଦ୍ଧାର କରି ମଙ୍ଗଳପୁର ହସପିଟାଲରେ ଭର୍ତ୍ତି କରିଥିଲା । ସେଠାରେ ତୁରନ୍ତ ଚିକିତ୍ସା ସେବା ମିଳିବାରୁ ସେ ବିପଦମୁକ୍ତ ହୋଇଥିଲା । ପରେ ପୋଲିସ ତାକୁ ଗିରଫ କରିଥିଲା । ଗିରଫ ଅଭିଯୁକ୍ତଙ୍କ ନାଁରେ ଏକାଧିକ ମାମଲା ଥିବା ପୋଲିସ ଜାଣିବାକୁ ପାଇଛି ।

ସେହିପି ଶହିଦନଗର ଶାନ୍ତିପଲ୍ଲୀ ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସମେତ ଦୁଇ ଜଣଙ୍କୁ ଗିରଫ କରିଛି । ଜଣେ ଫେରାର ହୋଇଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ବାନା ଗୁଣି ଓ ଜଣେ ନାବାଳକ । ଅନ୍ୟତମ ଅଭିଯୁକ୍ତ ପିଙ୍କୁ ଗୁଣି ପୋଲିସକୁ ଚକମା ଦେଇ ଫେରାର ହୋଇଯାଇଛି । ତେବେ ଏହି ହତ୍ୟାକାଣ୍ଡ ମଧ୍ୟ ପୂର୍ବ ବିବାଦ ଓ ହୋଲି ଖେଳକୁ ନେଇ ଘଟିଛି ।

ବସ୍ତିରେ ରହୁଥିବା ଗୋପୀ ଗୁଣି ଗୋଟିଏ ଗୋଷ୍ଠୀ ତିଆରି କରି ହୋଲି ପାଳନ କରୁଥିଲା । ସେହିପରି ଅଭିଯୁକ୍ତ ବାନା ଗୁଣି ମଧ୍ୟ ଗୋଟିଏ ଗୋଷ୍ଠୀ ଗଢିଥିଲା । ରଙ୍ଗ ଖେଳ ବେଳେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏହାକୁ ନେଇ ବାନା ଓ ତାର ସହଯୋଗୀମାନେ ହଠାତ୍ ଛୁରୀ ବାହାର କରି ଆକ୍ରମଣ କରିଥିଲେ । ଗୋପୀର ଭାଇ ଓ ତା ସ୍ତ୍ରୀ ତାକୁ ରକ୍ଷା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ପାରିଥିଲେ । ଏଥିରେ ଗୋପୀ ସ୍ତ୍ରୀ ମଧ୍ୟ ଆହତ ହୋଇଥିଲେ । ଖବରପାଇ ପୋଲିସ ଘଟଣା ସ୍ଥଳରେ ପହଂଚି ତାକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍‌ତି କରିଥିଲେ । ହେଲେ ସେଠାରେ ଡାକ୍ତରଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ୍ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଆଜି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

Leave a comment