ବାପାଙ୍କ ଚାକିରି ହେଲା କାଳ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସିକ୍ୟୁରିଟି ଗାର୍ଡଙ୍କ ମୃତଦେହ ଉଦ୍ଧାର । ହତ୍ୟା ସନ୍ଦେହ । ଏପରି ଏକ ଘଟଣା ଆଜି ସକାଳେ ଦେବଗଡ଼ ଏସ୍ପି କାର୍ଯ୍ୟାଳୟଠାରୁ ମାତ୍ର ଶହେ ମିଟର ଦୂରରେ ଥିବା ଏକ ଘରେ ଘଟିଯାଇଥିବା ଦେଖିବାକୁ ମିଳିଛି । ମୃତ ସିକ୍ୟୁରିଟି ଗାର୍ଡଙ୍କ ନାଁ ରାଜେନ୍ଦ୍ର ବଳୁଆ ।
ସୂଚନା ଅନୁଯାୟୀ, ମୃତ ରାଜେନ୍ଦ୍ରଙ୍କ ବାପା ବୈଷ୍ଣବ ବଳୁଆ ରେଙ୍ଗାଳି ଡ୍ୟାମ ପ୍ରୋଜେକ୍ଟ ଜୋନ ଅଫିସରେ କାର୍ଯ୍ୟରତ ଥିବା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା । ତେଣୁ ବାପାଙ୍କ ଉତ୍ତରାଧିକାରୀ ଭିତ୍ତିରେ ଚାକିରି ପାଇଁ ରାଜେନ୍ଦ୍ର ଓ ତାଙ୍କ ବଡ ଭାଇ ସଚ୍ଚିଦାନନ୍ଦ ବଳୁଆଙ୍କ ମଧ୍ୟରେ ସବୁବେଳେ ଝଗଡା ଲାଗି ରହୁଥିଲା । ରାଜେନ୍ଦ୍ର ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରୁଥିଲେ । ଗତକାଲି ରାତିରେ ରାଜେନ୍ଦ୍ରଙ୍କ ଘରକୁ ବସାଲଇ ଗାଁରେ ରହୁଥିବା ତାଙ୍କ ବଡଭାଇ ସଚ୍ଚିଦାନନ୍ଦ ଆସିଥିଲେ ଓ ଉଭୟଙ୍କ ମଧ୍ୟରେ ଖୁବ ଝଗଡା ହୋଇଥିଲା । ଆଜି ସକାଳେ ଘର ଆଗରେ ରାଜେନ୍ଦ୍ରଙ୍କ ଗୁଳିବିଦ୍ଧ ମୃତଦେହ ଦେଖିବାକୁ ମିଳିଥିଲା । ଖବରପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି । ଏହି ହତ୍ୟା ପଛରେ ବାପାଙ୍କ ଚକିରି ମୁଖ୍ୟ କାରଣ ହୋଇପାରେ ବୋଲି ପୋଲିସ ଅଧିକ ତଦନ୍ତ ଚଳାଇଛି ।