ରାଜଧାନୀରେ ବାଣଫୁଟା ବିବାଦରୁ ହତ୍ୟାକାଣ୍ଡ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାଣଫୁଟାକୁ ନେଇ ହତ୍ୟାକାଣ୍ଡ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ପଛପଟ ଏକାମ୍ର କଲେଜକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଘଟିଛି ଏହି ହତ୍ୟାକାଣ୍ଡ । କିଛି ଦୁର୍ବୃତ୍ତ ଜଣେ ଯୁବକକୁ ପିଟି ପିଟି ହତ୍ୟା କରିଛନ୍ତି । ମୃତକ ହେଲେ ସୁନ୍ଦରପଦା ବିଡିଏ ଅଞ୍ଚଳର ଅମରେଶ ନାୟକ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଜଣେ ପୂର୍ବତନ କର୍ପୋରେଟରକୁ ପୁଲିସ ପଚରାଉଚରା କରି ଛାଡ଼ିଦେଇଥିବା ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ଗତକାଲି ରାତିରେ ଅମରେଶ ଓ ତାଙ୍କର କିଛି ସାଥି ଏକାମ୍ର କଲେଜ ନିକଟରେ ଭୋଜି କରୁଥିଲେ । ଭୋଜି ବେଳେ ସେଠାରେ ବାଣ ଫୁଟାଇଥିଲେ । ସୁନ୍ଦରପଦାର ଜଣେ ଯୁବକ ସେମାନଙ୍କୁ ବାଣ ନଫୁଟାଇବାକୁ କହିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ପରେ ଯୁବକ ଜଣକ ସେଠାରୁ ପଳାଇଯାଇଥିଲା । କିଛି ଦୁର୍ବୁତ୍ତଙ୍କ ସହ ଆସି ଅମରେଶ ଓ ତାଙ୍କ ସହଯୋଗୀକୁ ଅତର୍କିତ ଆକ୍ରମଣ କରିଥିଲେ । ଘଟଣା ସ୍ଥଳରେ ହିଁ ଅମରେଶଙ୍କର ମୃତ୍ୟୁ ଘଟିଥିଲା ।