ପୁଅ ଭୁଲିଗଲା ସଂପର୍କ, ଟଙ୍କା ପାଇଁ ମଦ ନିଶାରେ ମାଆକୁ କଲା ହତ୍ୟା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଟଙ୍କା ନିଶା ହେଲା କାଳ । ନିଜ ଜନ୍ମ କଲା ମାଆକୁ ହତ୍ୟା କଲା ପୁଅ । ଯାଜପୁର ଜିଲ୍ଲା ବଡ଼ଚଣା ଥାନା ବଡ଼ଚଣା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି ।
ଖବର ଅନୁଯାୟୀ, ବଡ଼ଚଣା ଗାଁର ସ୍ୱର୍ଗତ ଅନନ୍ତ ସାମଲଙ୍କ ପତ୍ନୀ ସୁଷମା ସାମଲ ଘରେ ଥିବା ବେଳେ ବଡ଼ ପୁଅ ରଞ୍ଜନ କୁମାର ସାମଲ ମଦ ପିଇ ଘରକୁ ଫେରିଥିଲା । ବିଧବା ମାକୁ ଟଙ୍କା ମାଗିଥିଲା । କିନ୍ତୁ ଟଙ୍କା ପାଖରେ ନାହିଁ ବୋଲି କହିଥିଲେ ମାଆ । ଏଥିରେ ରାଗିଯାଇଥିଲା ରଞ୍ଜନ । ଏକ ବାଉଁଶ ଆଣି ମା ମୁଣ୍ଡକୁ ଖୁବ୍ ଜୋର୍ରେ ପିଟି ଦେଇଥିଲା । ଘଟଣାସ୍ଥଳରେ ଥିବା ୨ ସାନ ଭାଇ , ବଡ଼ ଭାଇକୁ କାବୁ କରିବା ସହ ଘରେ ବାନ୍ଧି ଦେଇଥିଲେ । ଏହାପରେ ଗୁରୁତର ଥିବା ମାକୁ ବଡ଼ଚଣା ମେଡିକାଲକୁ ନେଇଥିଲେ । ସେତେବେଳକୁ ମାଆଙ୍କ ମୃତ୍ୟୁ ହୋଇଯାଇଥିଲା । ମେଡିକାଲରେ ଡାକ୍ତର ମାଆଙ୍କୁ ମୃତ ଘୋଷଣା କରିଥିଲେ ।
ସେପଟେ ଖବର ପାଇ ବଡ଼ଚଣା ପୋଲିସ ଘଟଣାସ୍ଥଳର ପହଞ୍ଚି ମୃତଦେହକୁ ଜବତ ପୋଷ୍ଟ ମର୍ଟମ ପାଇଁ ପଠାଇଥିବା ବେଳେ ବଡ଼ ପୁଅ ରଞ୍ଜନ କୁମାର ସାମଲକୁ ଗିରଫ କରିଛି । ଏନେଇ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପୂର୍ବରୁ ମଧ୍ୟ ରଞ୍ଜନ ଘରକୁ ବାରମ୍ବାର ମଦ୍ୟପାନ କରିକି ଆସୁଥିଲେ । ଏବଂ ପରିବାର ଲୋକଙ୍କୁ ମାର୍ପିଟ୍ କରୁଥିବା ଅଭିଯୋଗ ହୋଇଛି । ବଡ଼ଚଣା ପୋଲିସ ଘଟଣାର ଛାନ୍ଭିନ୍ ଜାରି ରଖିଛି ।