ଘୋଷଣା ହେଲା ମହାନଗର ନିଗମ ନିର୍ବାଚନ ତାରିଖ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଘୋଷଣା ହେଲା ପୌର ନିର୍ବାଚନ ପାଇଁ ତାରିଖ । ରାଜ୍ୟର ତିନି ମହାନଗର ନିଗମ ସହ ୧୦୬ଟି ପୌରାଞ୍ଚଳରେ ନିର୍ବାଚନ ଅନୁଷ୍ଠିତ ହେବ । ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ଘୋଷଣା କରିଛନ୍ତି। ମାର୍ଚ୍ଚ ୨୪ ତାରିଖରେ ଭୋଟ୍ ଗ୍ରହଣ ହେବ । ଏଥିପାଇଁ ଫେବ୍ରୁଆରୀ ୨୮ ତାରିଖରେ ନିର୍ବାଚନ ଅଧିକାରୀ ବିଜ୍ଞପ୍ତି କରିବେ । ମାର୍ଚ୍ଚ ୨ରୁ ୭ ତାରିଖ ଯାଏ ହେବ ନାମାଙ୍କନ। ୯ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ, ୧୪ ତାରିଖ ମଧ୍ୟରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରାଯାଇ ପାରିବ । ୨୬ ତାରିଖର ମତଗଣନା ସହ ଫଳାଫଳ ଘୋଷଣା ହେବ । ଡେପୁଟି ମେୟର ନିର୍ବାଚନ ଏପ୍ରିଲ୍ ୪ରେ, ଉପାଧ୍ୟକ୍ଷ ନିର୍ବାଚନ ଏପ୍ରିଲ୍ ୭ରେ କରାଯିବ । ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀ ୨ଟି ସତ୍ୟପାଠ ଦାଖଲ କରିବେ । ପ୍ରଥମ ସତ୍ୟପାଠରେ ପ୍ରାର୍ଥୀ ସମ୍ପତ୍ତି ତାଲିକା, ଶିକ୍ଷାଗତ ଯୋଗ୍ୟତା, ଅପରାଧିକ ମାମଲା ତଥ୍ୟ ଦେବେ । ଦ୍ୱିତୀୟ ସତ୍ୟପାଠରେ ଗୋଟିଏ ସ୍ତ୍ରୀ ଓ ୨ଟିରୁ ଅଧିକ ଛୁଆ ନଥିବା ସୂଚନା ଦେବେ ।

ପ୍ରଥମ ଥର ପାଇଁ ପୌରସଂସ୍ଥା ନିର୍ବାଚନରେ ନୋଟା ବିକଳ୍ପ ରହିବ । ଇଭିଏମ୍ ସବାଶେଷରେ ନୋଟା ବଟନ୍ ରହିବ । ନିର୍ବାଚନ ମଇଦାନରେ ଭୋଟରଙ୍କ ମନ ପସନ୍ଦର ପ୍ରାର୍ଥୀ ନଥିଲେ ଭୋଟରମାନେ ନୋଟା ବ୍ୟବହାର କରିପାରିବେ । ପୌର ନିର୍ବାଚନ ପାଇଁ ପ୍ରତ୍ୟେକ ବୁଥରେ ଦୁଇଟି ଲେଖାଏ ଇଭିଏମ୍ ରହିବ ।

ନିର୍ବାଚନ କମିଶନ ଆଜି ଜାରି କରିଥିବା ବିଜ୍ଞପ୍ତି ଅନୁଯାୟୀ ମାର୍ଚ୍ଚ ୨ରୁ ୭ ତାରିଖ ପର୍ଯ୍ୟନ୍ତ ୩ଟି ମହାନଗର ନିଗମର ମେୟର ଓ କର୍ପୋରେଟର ଏବଂ ଅନ୍ୟ ପୌରସଂସ୍ଥା ଓ ବିଜ୍ଞପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଓ କାଉନସିଲର ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ ହେବ । ପ୍ରତ୍ୟେକ ଦିନ ଅପରାହ୍ନ ୫ଟାରେ ମନୋନୟନ ପତ୍ର ଦାଖଲ କରିଥିବା ପ୍ରାର୍ଥୀମାନଙ୍କ ତାଲିକା ପ୍ରକାଶ ପାଇବ ।

ମାର୍ଚ୍ଚ ୯ ତାରିଖରେ ଦାଖଲ ହୋଇଥିବା ମନୋନୟନ ପତ୍ରଗୁଡିକର ଯାଞ୍ଚ କରାଯିବ ଏବଂ ୧୦ ତାରିଖ ଦିନ ପୂର୍ବାହ୍ନ ୧୧ଟାରେ ବୈଧ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ଯେଉଁମାନେ ଚାହିଁବେ ସେମାନେ ୧୪ ତାରିଖ ଅପରାହ୍ନ ୩ଟା ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ । ସେହିଦିନ ଅପରାହ୍ନ ୫ଟାରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ।

ମାର୍ଚ୍ଚ ୨୪ ତାରିଖରେ ଭୋଟ ଗ୍ରହଣ ପାଇଁ ଦିନ ଧାର୍ଯ୍ୟ ହୋଇଥିବା ବେଳେ ୨୬ ତାରିଖ ସକାଳ ୮ଟାରୁ ଭୋଟ ଗଣତି ହେବ । ମାର୍ଚ୍ଚ ୨୯ ତାରିଖରେ ବିଜୟୀ ପ୍ରାର୍ଥୀମାନଙ୍କର ତାଲିକା ବିଧିବଦ୍ଧ ଭାବେ ଗେଜେଟ ବିଜ୍ଞପ୍ତି ଆକାରରେ ଘୋଷଣା କରାଯିବ । ଏହାପରେ ଏପ୍ରିଲ ୮ ତାରିଖରେ ୩ଟି ମହାନଗର ନିଗମର ଡେପୁଟି ମେୟର ଓ ୭ ତାରିଖରେ ନିର୍ବାଚନ ହୋଇଥିବା ଅନ୍ୟ ମ୍ୟୁନିସିପାଲିଟି ଓ ଏନଏସି ଗୁଡିକର ଉପାଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ।

Leave a comment