ଶ୍ରୀ ଅଭୟ ଓଏସଏସସି ଅଧ୍ୟକ୍ଷ ନିଯୁକ୍ତ
ଭୁବନେଶ୍ୱର : ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟଙ୍କୁ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ(ଓଏସ୍ଏସ୍ସି)ର ଅଧ୍ୟକ୍ଷ ଭାବେ ନୂଆ ନିଯୁକ୍ତି ମିଳିଛି । ବର୍ତ୍ତମାନ ରାଜ୍ୟ ଟାସ୍କ ଫୋର୍ସ(ନାର୍କୋଟିକ୍ସ ଡ୍ରଗ୍ସ ସମ୍ପର୍କିତ)ର ଅଧ୍ୟକ୍ଷ ଭାବେ ସେ ଦାୟିତ୍ୱ ତୁଲାଉଛନ୍ତି । ଓଏସ୍ଏସ୍ସି ଅଧ୍ୟକ୍ଷ ଭାବେ ୫ ବର୍ଷ କିମ୍ବା ୬୨ ବର୍ଷ ବୟସ ହେଲା ପର୍ଯ୍ୟନ୍ତ ସେ କାର୍ଯ୍ୟ କରିବେ । ଏନେଇ ରାଜ୍ୟ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ବୁଧବାର ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଶ୍ରୀ ଅଭୟଙ୍କୁ ଏହି ନୂଆ ଦାୟିତ୍ୱ ମିଳିବା ପରେ ରାଜ୍ୟ ଟାସ୍କ ଫୋର୍ସ(ନାର୍କୋଟିକ୍ସ ଡ୍ରଗ୍ସ ସମ୍ପର୍କିତ)ର ଅଧ୍ୟକ୍ଷ କିଏ ହେବେ, ସେନେଇ ଅଙ୍କ କଷା ଚାଲିଛି । ଏହି ପଦବୀ ମୁଖ୍ୟ ଶାସନ ସଚିବ ପାହ୍ୟାର । ଶ୍ରୀ ଅଭୟ ୨୦୧୯ ଡିସେମ୍ବର ୯ ତାରିଖରେ ରାଜ୍ୟ ପୁଲିସ ଡିଜି ଭାବେ ଦାୟିତ୍ୱ ନେଇଥିଲେ । ତାଙ୍କର ୨୦୨୧ ମସିହା ଜୁନ୍ ମାସରେ ଚାକିରୀ କାର୍ଯ୍ୟକାଳ ସରିବାକୁ ଥିଲା । ହେଲେ ସୁପ୍ରିମକୋର୍ଟଙ୍କ ନିୟମ ମୁତାବକ ଡିଜିପିଙ୍କୁ ସର୍ବନିମ୍ନ ଦୁଇବର୍ଷ କାର୍ଯ୍ୟ କରିବା ବାଧ୍ୟତାମୂଳକ । ଏହି ନିୟମ ଆଧାରରେ ଅଭୟଙ୍କ ଚାକିରୀକୁ ଆଉ ୬ ମାସ ବୃଦ୍ଧି କରାଯାଇଥିଲା । ତାଙ୍କର କାର୍ଯ୍ୟକାଳ ଡିସେମ୍ବର ୩୧ରେ ଶେଷ ହୋଇଥିଲା । ଶ୍ରୀ ଅଭୟ ତାଙ୍କ କାର୍ଯ୍ୟକାଳରେ ଅନେକ ମାଓବାଦୀଙ୍କୁ ହିଂସାପଥ ଛାଡ଼ି ମୁଖ୍ୟସ୍ରୋତକୁ ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି ।