ପୁଅକୁ ମାରି ମା’ ର ଆତ୍ମହତ୍ୟା ଘଟଣା; ମୃତ୍ୟୁ ପୂର୍ବରୁ ମହିଳାଙ୍କ ଶେଷ ପୋଷ୍ଟକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା
ମୃତ୍ୟୁ ପୂର୍ବରୁ ମହିଳାଙ୍କ ଶେଷ ପୋଷ୍ଟ । ସାମ୍ନାକୁ ଆସିଲା ମୃତ ମହିଳାଙ୍କ ଫେସବୁକର ଶେଷ ପୋଷ୍ଟ । ମଧୁପାଟଣା ଥାନା ଶ୍ରୀରାମନଗର ବସ୍ତିରେ ହୋଇଥିବା ଅଘଟଣରେ ମୃତ ଶିଳ୍ପୀ ଦାସଙ୍କ ଶେଷ ପୋଷ୍ଟ ଆଣିଲା ମୃତ୍ୟୁରେ ଟୁଇଷ୍ଟ । ମହିଳା ଜଣକ ସ୍ୱାମୀଙ୍କ ନାଁ ଯୋଡ଼ି ଶିଳ୍ପୀ ସନ୍ତୋଷ ଖୁଣ୍ଟିଆ ନାଁରେ ଆଇଡି ଖୋଲିଥିଲେ ।
୧୨ ଘଣ୍ଟା ତଳେ ଫେସବୁକରେ ଶେଷ ପୋଷ୍ଟ କରିଛନ୍ତି ଶିଳ୍ପୀ । ଆଇ କୁଇଟ୍, ବିକଜ୍ ଦ୍ୟାଟ୍ ୱାଜ୍ ପ୍ରୋବାବଲି ଦି ଓନଲି ଅପ୍ସନ ଅଣ୍ଟିଲ୍ ବୋଲି ସେ ଲେଖିଛନ୍ତି ।
ସେପଟେ ପତ୍ନୀ, ପୁଅର ମୃତ୍ୟୁ ନେଇ ଶ୍ୱଶୁର ଘରକୁ ଦାୟୀ କଲେ ସ୍ୱାମୀ । ଶ୍ୱଶୁର ଘର ଲୋକଙ୍କ ଯୋଗୁଁ ଘରେ ଅଶାନ୍ତି ଥିଲା କହିଲେ ସ୍ୱାମୀ । ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ସେ ଦ୍ୱିତୀୟ ବିବାହ କରିଥିଲେ । ହେଲେ ବାହାଘର ପରଠାରୁ ଝିଅର ମା ଓ ବଡ଼ ଭଉଣୀ ସବୁକଥାରେ ହସ୍ତକ୍ଷେପ କରୁଥିଲେ । ଫଳରେ ଉଭୟଙ୍କ ଦାମ୍ପତ୍ୟ ଜୀବନରେ କହଳ ହେବା ସହ ମନୋମାଳିନ୍ୟ ସୃଷ୍ଟି ହେଉଥିଲା । ଆଉ ଝଗଡ଼ା କରି ସ୍ତ୍ରୀ ପ୍ରାୟ ସମୟରେ ବାପ ଘରକୁ ପଳାଉଥିଲେ । ସେ ସମାଧାନ କରିବାକୁ ଯାଇଥିବା ବେଳେ ଶ୍ୱଶୁର ଘର ଲୋକ ତାଙ୍କୁ ମାଡ଼ ମଧ୍ୟ ମାରିଥିଲେ । ଦେଢ଼ଶାଶୁ ମାଡ଼ ମାରି ମୋ ମୁଣ୍ଡ ଫଟାଇ ଦେଇଥିବା ସେ କହିଛନ୍ତି । ସ୍ତ୍ରୀ ଆଦୌ ଘରକୁ ଯିବାକୁ ଚାହୁଁନଥିଲା । ଆଊ ଝଗଡ଼ା ବେଳେ ସେ ପୁଅକୁ ମାରିଦେବ ବୋଲି ଧମକ ଦେଉଥିଲା ।
ଅନ୍ୟପଟେ ଏହି ଘଟଣାକୁ ନେଇ ଜଣେ ପୋଲିସ ASIଙ୍କ ପ୍ରତି ଆଙ୍ଗୁଠି ଉଠିଛି । ଲାଲବାଗ ଥାନାର ଜଣେ ASIଙ୍କୁ ଦୋଷାରୋପ କରିଛନ୍ତି ଝିଅର ସଂପର୍କୀୟ । ନିଜ ଥାନା ଅଞ୍ଚଳର ହୋଇନଥିଲେ ବି ହସ୍ତକ୍ଷେପ କରିବା ଅଭିଯୋଗ ହୋଇଛି । ଏପରିକି ଝିଅର ପରିବାରକୁ ଧମକ ଦେଉଥିବା କହିଛନ୍ତି ସଂପର୍କୀୟ । ସେଥିପାଇଁ ଆଜି ଘଟଣା ସ୍ଥଳକୁ ଆସିଥିବା ବେଳେ ସଂପୃକ୍ତ ASIଙ୍କୁ ବିରୋଧ କରାଯାଇଛି । ସେପଟେ ସଂପୃକ୍ତ ASI କାହିଁକି ଆସିଥିଲେ ପଚରାଯିବ କହିଛନ୍ତ କଟକ ଡିସିପି ।