ପୁଣିଥରେ ବିଶୃଙ୍ଖଳିତ ଆଚରଣ ପାଇଁ ୧୯ ରାଜ୍ୟସଭା ସାଂସଦଙ୍କୁ ଗୃହରୁ ନିଲମ୍ବିତ

0

ମୌସୁମୀ ଅଧିବେଶନ ଜାରି ରହିଥିବା ବେଳେ ଗୃହରେ ହଟ୍ଟଗୋଳ ଓ ବିଶୃଙ୍ଖଳିତ ଆଚରଣ ପାଇଁ ଏକାଧିକ ବିରୋଧୀ ଦଳର ୧୯ ରାଜ୍ୟସଭା ସାଂସଦଙ୍କୁ ଗୃହରୁ ନିଲମ୍ବିତ କରାଯାଇଛି । ଏହି ସାଂସଦମାନଙ୍କୁ ଚଳିତ ସପ୍ତାହ ପାଇଁ ନିଲମ୍ବିତ କରିଛନ୍ତି ଗୃହର ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ଏହି ସାଂସଦମାନେ ଚଳିତ ସପ୍ତାହରେ ହେବାକୁ ଥିବା ଅଧିବେଶନର କୌଣସି କାର୍ଯ୍ୟ ଦିବସରେ ଅଂଶଗ୍ରହଣ କରିପାରିବେ ନାହିଁ ।

ଆଜି ନିଲମ୍ବିତ ହୋଇଥିବା ସାଂସଦଙ୍କ ମଧ୍ୟରେ TMC ସାଂସଦ ସୁସ୍ମିତା ଦେବ, ଡ.ଶାନ୍ତନୁ ସେନ୍ ଏବଂ ଡୋଲା ସେନ୍, ଶାନ୍ତା ଛେତ୍ରୀ, ଅବିର ରଞ୍ଜନ ବିଶ୍ବାସ, ମୌସମ୍ ନୁର, ମୋହମ୍ମଦ ଅବଦୁଲ୍ଲା ପ୍ରମୁଖ ରହିଛନ୍ତି । ଗତାକାଲି ମଧ୍ୟ ସମାନା କାରଣ ପାଇଁ କଂଗ୍ରେସର ୪ଜଣ ଲୋକସଭା ସାଂସଦଙ୍କୁ ସମ୍ପୂର୍ଣ୍ଣ ଅଧିବେଶନରୁ ନିଲମ୍ବିତ କରାଯାଇଥିଲା ।

୪ କଂଗ୍ରେସ ସାଂସଦମାନେ ଗତକାଲି ନିଲମ୍ବିତ ହେବା ପରେ ସଂସଦ ପରିସରରେ ଧାରଣା ଦେବା ସହ ନିଷ୍ପତ୍ତି ବିରୋଧରେ ପ୍ରତିବାଦ କରିଥିଲେ । ଅନ୍ୟ କିଛି ବିରୋଧୀ ସାଂସଦ ମଧ୍ୟ ସେମାନଙ୍କ ସହ ସାମିଲ ହୋଇ ଏହି ନିଷ୍ପତ୍ତି ଗଣତନ୍ତ୍ରର ହତ୍ୟା ବୋଲି କହିଥିଲେ । ତେବେ ତାର ମାତ୍ର ଗୋଟିଏ ଦିନ ପରେ ପୁଣି ସମାନ କାରଣ ପାଇଁ ଏକାଧିକ ବିରୋଧୀ ସାଂସଦଙ୍କ ଉପେରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

Leave a comment