ଦେଶରେ ଡ଼ରାଇଲାଣି ମଙ୍କିପକ୍ସ ; ତେବେ ଏହା କ’ଣ ଓ ଏହା ବିଷୟରେ ଜାଣିବା

0

କିଛିଦିନ ପୂର୍ବେ ଭାରତରେ ଚିହ୍ନଟ ହୋଇଛି ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ । ଏହି ଭାଇରସ ଏବେ ସାରା ବିଶ୍ବରେ ଚିନ୍ତା ବଢାଇଥିବା ବେଳେ ଭାରତରେ ମଧ୍ୟ ପାଦ ଥାପିଛି । ଯାହାକୁ ନେଇ ଏବେ ଚିନ୍ତାରେ ଦେଶବାସୀ । ତେବେ ସତର୍କତା ଅବଲମ୍ବନ କରି ଏଥିରୁ ବର୍ତ୍ତିବା ଲାଗି ରୋଗ ସମ୍ପର୍କରେ ଜାଣିବା ନିହାତି ଆବଶ୍ୟକ ।

ମଙ୍କିପକ୍ସ କ’ଣ ?
ମଙ୍କିପକ୍ସ ହେଉଛି ଏକ ଜୁନୋଟିକ୍‌ (Zoonotic) ବା ପଶୁଙ୍କଠୁ ମନୁଷ୍ୟକୁ ସଂକ୍ରମିତ କରୁଥିବା ରୋଗ । ଏହି ରୋଗର ଲକ୍ଷଣ ଠିକ ଅର୍ଥୋପକ୍ସ, ସ୍ମଲ ପକ୍ସ ରୋଗ ପରି । ଏହି ରୋଗ ମୁଖ୍ୟତଃ ମଧ୍ୟ ଓ ପଶ୍ଚିମ ଆଫ୍ରିକା ଦେଶରେ ଦେଖିବାକୁ ମିଳିଥାଏ । ୧୯୮୦ ମସିହା ପରେ ଏହି ରୋଗ ପ୍ରାୟତଋ ନିଶ୍ଚିହ୍ନ ହୋଇଯାଇଥିବା ବେଳେ ଏବେ ପୁଣି ଏହା ଚିନ୍ତାର କାରଣ ପାଲଟିଛି । ୧୯୫୮ ମସିହାରେ ମାଙ୍କଡ଼ଙ୍କଠାରେ ଏହି ରୋଗ ପ୍ରଥମେ ଦେଖାଯାଇଥିଲା । ୧୯୭୦ ମସିହାରେ ଏହି ଭାଇରସ ପ୍ରଥମ ଥର ଲାଗି ୯ ବର୍ଷର ଶିଶୁକୁ ଆକ୍ରାନ୍ତ କରିଥିଲା । ମଙ୍କିପକ୍ସ ଭାଇରସ ଦ୍ବାରା ଏହି ରୋଗ ହୋଇଥାଏ । ଜଣେ ଏହି ଭାଇରସ ଦ୍ବାରା ସଂକ୍ରମିତ ହେବା ପରେ ଏହା ଜଣଙ୍କଠୁ ଅନ୍ୟ ଜଣଙ୍କୁ ବ୍ୟାପିଥାଏ ।

କିପରି ବ୍ୟାପିଥାଏ ଏହି ରୋଗ ?
ସଂକ୍ରମିତ ପ୍ରାଣୀଙ୍କର ଶରୀରର ତରଳ ପଦାର୍ଥ (Body Fluid)ର ସଂସ୍ପର୍ଶରେ ଆସିବା ପରେ ଏହି ରୋଗ ବ୍ୟାପିଥାଏ । ଏହି ରୋଗ ପ୍ରାୟତଋ ଗୁଣ୍ଡୁଚି ମୂଷା, ମୂଷା ଏବଂ ବିଭିନ୍ନ ମାଙ୍କଡ଼ଙ୍କ ଠାରେ ଦେଖାଯାଏ । ଜଙ୍ଗଲରେ ରହୁଥିବା ଲୋକେ ସଂକ୍ରମିତ ପ୍ରାଣୀଙ୍କ ସଂସ୍ପର୍ଶରେ ଆସିବା ପରେ ଏହି ଭାଇରସ ଦ୍ବାରା ସଂକ୍ରମିତ ହୋଇଥାନ୍ତି । ମଣିଷମାନଙ୍କଠାରେ ଏହି ରୋଗ ଶ୍ବାସକ୍ରିୟା ଦ୍ବାରା ବ୍ୟାପିଥାଏ । ସଂକ୍ରମିତ ବ୍ୟକ୍ତିର କ୍ଷତ, ଶରୀରର ତରଳ ପଦାର୍ଥ ଏବଂ ଶଯ୍ୟା (Bed)ର ସଂସ୍ପର୍ଶରେ ଆସିବା ଦ୍ବାରା ଏହି ରୋଗ ବ୍ୟାପିଥାଏ ।

ଲକ୍ଷଣ କ’ଣ ହୋଇଥାଏ ?

-ସଂକ୍ରମିତ ରୋଗୀଙ୍କ ସଂସ୍ପର୍ଶରେ ଆସିବା ପରେ ୬ରୁ ୧୩ ଦିନ ମଧ୍ୟରେ ଅନ୍ୟ ଜଣେ ସଂକ୍ରମିତ ହୋଇଥାଏ । କିଛି ଜଣଙ୍କ କ୍ଷେତ୍ରରେ ସଂକ୍ରମଣ ହେବା ପାଇଁ ୫ରୁ ୨୧ଦିନ ସମୟ ଲାଗିଥାଏ । ଭାଇରସ ଦ୍ବାରା ସଂକ୍ରମିତ ହେବା ପରେ ୨ରୁ ୪ ସପ୍ତାହ ପର୍ଯ୍ୟନ୍ତ ଲକ୍ଷଣ ଦେଖାଯାଇଥାଏ । ହେଲେ ମଙ୍କିପକ୍ସର ମୃତ୍ୟୁ ହାର କମ ରହିଥାଏ ।

-ଜ୍ବର, ପ୍ରବଳ ମୁଣ୍ଡବ୍ୟଥା, ପିଠି ଯନ୍ତ୍ରଣା, ମାଂସପେଶୀ ଯନ୍ତ୍ରଣା ଏବଂ ଗଣ୍ଠିରେ ଯନ୍ତ୍ରାଣ ହେବା ସାଧାରଣ ଲକ୍ଷଣ । ପ୍ରାୟ ୧୩ ଦିନ ଜ୍ବର ହେବା ପରେ ଚର୍ମରେ ଦାଗ ହୋଇଥାଏ ଏବଂ ଜଳରେ ଭର୍ତ୍ତି ଫୋଟକା ମୁହଁ, ହାତ, ଗୋଡ, ପାପୁଲି, ଯୌନାଙ୍ଗ ଏବଂ ଆଖିରେ ଦେଖାଯିବା ଆରମ୍ଭ କରେ ।

-ଜଣେ ବ୍ୟକ୍ତିର ରୋଗ ପ୍ରତିରୋଧକ ଶକ୍ତି ଅନୁସାରେ ଏହି ରୋଗ ବ୍ୟାପିଥାଏ । ଏହି ରୋଗ ହେବା ଦ୍ବାରା ନିମୋନିଆ ହେବାର ସମ୍ଭାବନା ରହିଥାଏ ।

ଚିକିତ୍ସା:
ଏହା ଏକ ଭୂତାଣୁ ଜନିତ ରୋଗ ହୋଇଥିବାରୁ ଏହାର ଚିକିତ୍ସା ନାହିଁ । ମାତ୍ର ଏହି ଭାଇରସରେ ସଂକ୍ରମିତ ହେବା ପରେ ଅନ୍ୟାନ୍ୟ ରୋଗ ଲାଗି ଚିକିତ୍ସା ଆବଶ୍ୟକ ହୋଇଥାଏ । ଲକ୍ଷଣ ଦେଖାଯିବା ମାତ୍ରେ ସଙ୍ଗେ ସଙ୍ଗେ ଏହାର ଚିକିତ୍ସା କରିବା ଆବଶ୍ୟକ । ଯଦ୍ଦ୍ବାରା ଏହି ରୋଗର ଜଟିଳତା ଏବଂ ଦୀର୍ଘମିଆଦି ପ୍ରଭାବରୁ ରକ୍ଷା ମିଳିଥାଏ । ଅନ୍ୟପଟେ ମଙ୍କିପକ୍ସ ଲାଗି ଟିକା ମଧ୍ୟ ଉପଲବ୍ଧ ରହିଥାଏ ।

ସତର୍କତା:
ସଂକ୍ରମିତ ପ୍ରାଣୀଙ୍କ ସଂସ୍ପର୍ଶରୁ ଦୂରେଇ ରହିବା ସହ ମୃତ ପଶୁଙ୍କୁ କବର ଦେବା ଠାରୁ ଦୂରେଇ ରୁହନ୍ତୁ । ସେମାନଙ୍କ ମାଂସ ଏବଂ ଶରୀରର ତରଳ ପଦାର୍ଥ ସହିତ ମଧ୍ୟ ସମ୍ପର୍କରୁ ଦୂରେଇ ରହିବା ଉଚିତ । ମାଂସ ଜାତୀୟ ପଦାର୍ଥକୁ ରୋଷେଇ କରିବା ସମୟରେ ଏହାକୁ ଭଲ ଭାବରେ ସିଝାଇବା ଆବଶ୍ୟକ । ମଣିଷ ମଧ୍ୟରେ ଏହି ରୋଗ ବ୍ୟାପିବାର ମୁଖ୍ୟ କାରଣ ହେଉଛି ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବା । ମଙ୍କିପକ୍ସ ରୋଗୀର ଯତ୍ନ ନେବାବେଳେ କୋଭିଡ ସଂକ୍ରମଣକୁ ରୋକିବା ପାଇଁ ସମାନ ସତର୍କତା ଅବଲମ୍ବନ କରାଯିବା ଉଚିତ ।

Leave a comment