ବାରଣାସୀରେ ମୋଦି, କାଶୀ ବିଶ୍ଵନାଥ ଦର୍ଶନ ପରେ ରୋଡ଼ ଶୋରେ ଯୋଗଦେବେ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୨୦୧୯ ସାଧାରଣ ନିର୍ବାଚନରେ ଉତ୍ତର ପ୍ରଦେଶ ବାରଣାସୀ ଲୋକସଭା ନିର୍ବାଚନ ମଣ୍ଡଳୀରୁ ସାଂସଦ ଭାବେ ବିପୁଳ ଭୋଟରେ ନିର୍ବାଚିତ ହେବା ପରେ ଆଜି ପ୍ରଥମଥର ପାଇଁ ବାରଣାସୀ ଗସ୍ତ କରିଛନ୍ତି ନରେନ୍ଦ୍ର ମୋଦି । ସେ ଆଜି ସକାଳୁ ନିଜ ସଂସଦୀୟ କ୍ଷେତ୍ରରେ ପହଞ୍ଚି ଥିବା ବେଳେ ସେଠାରେ ସ୍ଥାନୀୟ ଲୋକେ ତାଙ୍କୁ ସମ୍ବର୍ଦ୍ଧନା ଜଣାଇଛନ୍ତି । ମୋଦିଙ୍କ ସ୍ବାଗତ ପାଇଁ ସମଗ୍ର ବାରଣାସୀ ଅଞ୍ଚଳକୁ ଭାଜପା ପୋଷ୍ଟରରେ ସଜାଯାଇଛି । ଏହି ଅବସରରେ ମୋଦି ପ୍ରଥମେ କାଶୀ ବିଶ୍ୱନାଥ ମନ୍ଦିରରେ ଯାଇ ପୂଜାର୍ଚ୍ଚନା କରିବେ । ଏହାପରେ ମା’ ଗଙ୍ଗାଙ୍କ ଆରାଧନା କରିବାର କାର୍ଯ୍ୟକ୍ରମ ରହିଛି । କାଶୀ ବିଶ୍ୱନାଥ ମନ୍ଦିରର ପୂଜକ ଏହି ଅବସରରେ କହିଛନ୍ତି, ଭଗବାନ ଶିବ ଏବଂ ମା’ ଗଙ୍ଗାଙ୍କ ଆଶୀର୍ବାଦ ରହିଥିବାରୁ ମୋଦି ବିପୁଳ ଆସନରେ ବିଜୟୀ ହୋଇ ପୁଣି ଥରେ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ଏହି ଅବସରରେ ବାରଣାସୀରେ ଏକ ରୋଡ଼ ଶୋ ହେବାର କାର୍ଯ୍ୟକ୍ରମ ରହିଛି । ଏଥିରେ ମୋଦି ଯୋଗ ଦେଇ ସ୍ଥାନୀୟ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେବେ ।
ସୂଚନାଯୋଗ୍ୟ, ଗତକାଲି ଅହମଦାବାଦରେ ମୋଦିଙ୍କର ମେଗା ରାଲି ଅନୁଷ୍ଠିତ ହୋଇଥିଲା । ସୁରଟ କୋଚିଂ ସେଟରେ ହୋଇଥିବା ଅଗ୍ନିକାଣ୍ଡରେ ଚାତ୍ରଛାତ୍ରୀଙ୍କୁ ମୃତ୍ୟୁ ପରେ ବିଜେପି ନିରାଡ଼ମ୍ବରପୂର୍ଣ୍ଣ ଭାବେ ବିଜୟ ଖୁସି ମନାଇଥିଲେ । ଏହାପରେ ନିଜ ରାଜ୍ୟ ଗୁଜରାଟ ଯାଇ ମୋଦି ତାଙ୍କ ମା’ଙ୍କ ଆଶୀର୍ବାଦ ନେଇଥିଲେ ।