ଲୋକପ୍ରିୟତାରେ ଟ୍ରମ୍ପ୍‌ଙ୍କୁ ପଛରେ ପକାଇଲେ ମୋଦି

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ସୋସିଆଲ୍‌ ମିଡ଼ିଆରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ଏକ ସ୍ବତନ୍ତ୍ର ପରିଚିତି ସୃଷ୍ଟି କରିପାରିଛନ୍ତି । ସେ ଟ୍ବିଟରରେ ଜଣେ ଜଣାଶୁଣା ବ୍ୟକ୍ତିତ୍ୱ ଭାବେ ଆଗ ଧାଡିରେ ଥିବାବେଳେ ଇନ୍‌ଷ୍ଟାଗ୍ରାମ୍‌ ଲୋକପ୍ରିୟତାରେ ବିଶ୍ୱର ସବୁଠୁ ପ୍ରଭାବଶାଳୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏବଂ ପୋପ୍‌ ଫ୍ରାନ୍ସିସ୍‌ଙ୍କୁ ପଛରେ ପକାଇଛନ୍ତି । ଇନଷ୍ଟାଗ୍ରାମ୍‌ରେ ୨୦୧୮ରେ ବିଶ୍ୱର ସର୍ବାଧିକ ଚର୍ଚ୍ଚିତ ନେତା ଓ ବ୍ୟକ୍ତିତ୍ୱ୍‌ ତାଲିକାରେ ମୋଦି ସମସ୍ତଙ୍କ ଠାରୁ ଆଗରେ ରହିଛନ୍ତି । 

ମଙ୍ଗଳବାର ଜନସମ୍ପର୍କ ଏବଂ ଯୋଗାଯୋଗ ସଂସ୍ଥା ବିସିଡବ୍ଲ୍ୟୁ, ଗ୍ଲୋବାଲ୍‌ର ‘ଟ୍ବିପ୍ଲୋମାସି’ ଷ୍ଟଡି ଅନୁସାରେ ପ୍ରକାଶ ପାଇଥିବା ତାଲିକା ଓ ତଥ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ୧୫.୪ ମିଲିୟନ ଫଲୋଅର୍ସ ରହିଛନ୍ତି । ଆଶ୍ଚର୍ଯ୍ୟର ବିଷୟ ହେଉଛି, ଚଳିତବର୍ଷ ଇନ୍‌ଷ୍ଟାଗ୍ରାମରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ୧,୫୫୬ଟି ଫଟୋ ଏବଂ ଭିଡିଓ ପୋଷ୍ଟ କରିଥିଲାବେଳେ ମୋଦି ମୋଟ ୮୦ଟି (ଫଟୋ ଏବଂ ଭିଡିଓ) ଅପ୍‌ଲୋଡ଼ କରିଛନ୍ତି । ଏହାସତ୍ତ୍ୱେ ପାରସ୍ପରିକ ଆଦାନପ୍ରଦାନ କ୍ରିୟାରେ ସେ ତାଙ୍କ ପ୍ରତିପକ୍ଷ ଟ୍ରମ୍ପଙ୍କଠାରୁ ଅଧିକ ଲୋକପ୍ରିୟ ଓ ସଫଳ ବ୍ୟକ୍ତିତ୍ୱ ହୋଇପାରିଛନ୍ତି । ଇନ୍‌ଷ୍ଟାଗ୍ରାମ୍‌ରେ ଟ୍ରମ୍ପ୍‌ଙ୍କ ଆଦାନପ୍ରଦାନ ହାର ୧.୫୮ ରହିଥିବାବେଳେ ମୋଦିଙ୍କର ୭.୧୧ ରହିଛି । ମୋଦିଙ୍କୁ ତାଙ୍କ ପ୍ରତି ଫଟୋ ଓ ଭିଡିଓ ପୋଷ୍ଟ ପାଇଁ ହାରାହାରି ୮୭୩,୩୦୨ ପ୍ରତିକ୍ରିୟା ମିଳିଥିବା ଜଣାଯାଇଛି । ସେହିପରି ୨୦୧୯ ନିର୍ବାଚନ ଓପିନିୟନ୍‌ ପୋଲ୍‌ ସର୍ଭେ ଅନୁଯାୟୀ, ମୋଦି ତାଙ୍କ ପ୍ରତିପକ୍ଷ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କଠାରୁ ଆଗରେ ରହିଥିବା ଉକ୍ତ ଷ୍ଟଡି ରିପୋର୍ଟ ଦର୍ଶାଇଛି । 

ଉକ୍ତ ତାଲିକାରେ ମୋଦି ଶୀର୍ଷରେ ରହିଥିବାବେଳେ ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ଓ୍ବିଡୋଭୋ (ଦ୍ୱିତୀୟ), ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ (ତୃତୀୟ), ପୋପ୍‌ ଫ୍ରାନ୍ସିସ୍‌ (ଚତୁର୍ଥ), ଜୋର୍ଡାନ ରାଣୀ (ପଞ୍ଚମ) ଓ ଇଂଲଣ୍ଡର ରାଜ ପରିବାର (ଅଷ୍ଟମ) ସ୍ଥାନରେ ରହିଛନ୍ତି ।

Leave a comment