ଓଡିଶାରୁ ବିଜେଡି ସରକାର ଯିବା ଓ ବିଜେପି ଆସିବା ନିଶ୍ଚିତ କହିଲେ ମୋଦି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଅହମଦାବାଦରେ ଭୋଟ ଦେବା ପରେ ହେଲିକପ୍ଟର ଯୋଗେ ଆସି କେନ୍ଦ୍ରାପଡ଼ାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ମାରାଥନ ପ୍ରଚାର କରିବା ପାଇଁ ମୋଦି ଓଡ଼ିଶାରେ ପହଞ୍ଚିଛନ୍ତି । ସ୍ଥାନୀୟ ବାରୁଅସ୍ଥିତ ସିଦ୍ଧ ମଠ ପଡ଼ିଆଠାରେ ଆୟୋଜିତ ବିଜୟ ସଙ୍କଳ୍ପ ସଭାରେ ପ୍ରଧାନମନ୍ତ୍ରୀ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି । ଏହି ଅବସରରେ ଜୟ ବଳଦେବ ଜୀଉ କହି ପ୍ରଧାନମନ୍ତ୍ରୀ ଅଭିଭାଷଣ ଆରମ୍ଭ କରିଥିଲେ ।

ସେ କହିଥିଲେ, ଓଡ଼ିଶାର ଲୋକେ ଡବଲ ଇଞ୍ଜିନ ସରକାର ଚାହୁଁଛନ୍ତି । ଏଥର ଓଡିଶାରୁ ବିଜେଡି ସରକାର ଯିବା ଓ ବିଜେପି ଆସିବା ନିଶ୍ଚିତ । ଆପଣମାନଙ୍କ ଏତେ ଭଲ ପାଇବା ଦେଖି ବିଜେଡି ସମେତ ଅନ୍ୟ ବିରୋଧୀ ଦଳ ଗୁଡ଼ିକର ନିଦ ହଜିଯାଇଛି ବୋଲି ମୋଦି କହିଥିଲେ । ଏଥର ଓଡ଼ିଶାରେ ବିଜେପିକୁ ଯେଉଁ ଭଲ ପାଇବା ମିଳିଛି ତାହା ପୂର୍ବରୁ ମିଳିନଥିଲା । ମତ୍ସ୍ୟଜୀବୀମାନଙ୍କ ପାଇଁ ମତ୍ସ୍ୟଜୀବୀ ଫୋରମ ଗଢା ଯିବା ସହ ସେମାନଙ୍କୁ ପ୍ରଥମ ଥର ପାଇଁ କିଷାନ କ୍ରେଡିଟ କାର୍ଡ ପ୍ରଦାନ କରାଯାଇଛି । ଚାଷୀଙ୍କୁ ସହାୟତା ଦେବା ପାଇଁ କେନ୍ଦ୍ର ସରକାର ପିଏମ କିଷାନ ଯୋଜନା ଆରମ୍ଭ କରିଥିବା ବେଳେ ରାଜ୍ୟ ସରକାର ଚାଷୀଙ୍କ ତାଲିକା ଦେବାରେ ଅସମର୍ଥ ହୋଇଛନ୍ତି । ଏହି ଜିଲ୍ଲାକୁ ଚାରିପଟେ ସମୁଦ୍ର ଘେରି ରହିଥିବାରୁ ବିକାଶରେ ଅସୁବିଧା ହେଉଛି । ଫଳରେ ଏଠାରେ ବ୍ରାହ୍ମଣୀ ନଦୀରେ ଓ୍ବାଟର ଓ୍ବେ ନିର୍ମାଣ ହେବାକୁ ଯାଉଛି । ଯାହା ପାରାଦୀପ-ଧାମରାକୁ ଯୋଡ଼ିବ ବୋଲି ମୋଦି କହିଥିଲେ । ଏଥିସହ ୨୦୨୨ସୁଦ୍ଧା ସମସ୍ତ ଗରିବ ପରିବାରକୁ ପକ୍କା ଘର ପ୍ରଦାନ କରାଯିବ । ଓଡ଼ିଶାରେ ବିଜେପି ସରକାର ଗଢ଼ିଲେ ବଳାତ୍କାରୀଙ୍କୁ ଫାଶୀ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସଭାରେ କେନ୍ଦ୍ରାପଡ଼ା ଲୋକ ସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଓ ଏରସମା ବିଧାୟକ ପ୍ରାର୍ଥୀ ଡ. ଦାମୋଦର ରାଉତ ଯୋଗଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । ସେମାନେ କହିଥିଲେ, କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ରାଜ୍ୟ ସରକାର ଏଠି କାର୍ଯ୍ୟକାରୀ କରୁ ନଥିବା ବେଳେ କେନ୍ଦ୍ରୀୟ ଅନୁଦାନ ମଧ୍ୟ ଖର୍ଚ୍ଚ କରୁନାହାନ୍ତି । କାଳିଆ ଯୋଜନାର ସଫଳତା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସବୁଠାରେ କହୁଥିବା ବେଳେ ଏହି ଯୋଜନାର ପ୍ରକୃତ ଲାଭ ବିଜେଡି ନେତା ଓ କର୍ମୀମାନେ ପାଇଛନ୍ତି । ପ୍ରକୃତ ଚାଷୀ ଏହି ଯୋଜନାର ସୁଫଳ ପାଇଁ ନ ଥିବା ଡ଼ଃ. ରାଉତ କହିଥିଲେ । ସଭାରେ ବରିଷ୍ଠ ନେତା ବିଜୟ ମହାପାତ୍ର, ପ୍ରଭାରୀ ଅରୁଣ ସିଂ ମଧ୍ୟ ଉପସ୍ଥିତ ଥିଲେ ।

Leave a comment