୧୭ରେ ନବୀନଙ୍କ ସହ କଥାହେବେ ମୋଦୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦେଶରେ ଅନଲକ୍‌ ୧ ଆରମ୍ଭ ହେବା ପରଠୁ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି। ଦିନକୁ ହଜାର ହଜାର ସଂଖ୍ୟାରେ ନୂତନ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହି ସବୁ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ସବୁ ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ବୈଠକ କରିବାକୁ ଯାଉଛନ୍ତି।

ଦେଶରେ ବଢୁଥିବା ସଂକ୍ରମଣକୁ ନେଇ ପ୍ରଧାନମନ୍ତ୍ରୀ କ୍ରମାଗତ ଦୁଇ ଦିନ ଅଲଗା ଅଲଗା ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ବୈଠକ କରିବେ। ପ୍ରଧାନମନ୍ତ୍ରୀଙ୍କ ଏହି ବୈଠକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହେବ। ଜୁନ ୧୬ ଓ ୧୭ ତାରିଖ ଦୁଇ ଦିନ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ସମ୍ବନ୍ଧରେ ଆଲୋଚନା କରିବେ। ଏହି ଆଧାରରେ ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଆଲୋଚନା କରିବେ। ଏହି ଭିଡିଓ କନଫରେନ୍ସିଂ ଆଲୋଚନା ଅପରାହ୍ନ ୩ଟାରୁ ଆରମ୍ଭ ହେବ।

ସୂଚନା ଅନୁଯାୟୀ ଜୁନ ୧୬ରେ ୨୧ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ। ଏ୍‌ଥିରେ ପଞ୍ଜାବ, ଆସାମ, କେରଳ, ଉତ୍ତରାଖଣ୍ଡ, ଝାରଖଣ୍ଡ, ଛତିଶଗଡ, ତ୍ରିପୁରା, ହିମାଚଳ ପ୍ରଦେଶ, ଗୋଆ, ମଣିପୁର, ନାଗାଲାଣ୍ଡ, ମେଘାଳୟ, ପୁଡୁଚେରୀ, ସିକ୍କିମ, ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ। ସେହି ପରି କେନ୍ଦ୍ର ଶାସିତ ଅଞ୍ଚଳ ଚଣ୍ଡିଗଡ, ଲଦାଖ, ଦାଦର ନଗର ହାବେଳି, ଆଣ୍ଡାମାନ ନିକୋବର, ଦାମନ ଡିଉ ଓ ଲାକ୍ଷାଦ୍ଵୀପ ସହ ଆଲୋଚନା ହେବ।

ସେହି ପରି ଜୁନ ୧୭ରେ ପ୍ରଧାନମନ୍ତ୍ରୀ ଓଡିଶା ମହାରାଷ୍ଟ୍ର, ତାମିଲନାଡୁ, ଦିଲ୍ଲୀ, ଗୁଜରାଟ, ରାଜସ୍ଥାନ, ଉତ୍ତରପ୍ରଦେଶ, ମଧ୍ୟ ପ୍ରଦେଶ, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ବିହାର, ଆନ୍ଧ୍ର ପ୍ରଦେଶ, ହରିୟାଣା, ଜାମ୍ମୁ ଓ କାଶ୍ମୀର, ଓ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିବେ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଅନେକ ଥର କରୋନା ପ୍ରସଙ୍ଗରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରି ସାରିଛନ୍ତି।

Leave a comment