ସଂସଦୀୟ ଦଳ ବୈଠକରେ ମୋଦିଙ୍କ ଚେତାବନୀ

0

ନୂଆଦିଲ୍ଲୀ ୭।୧୨: ମଙ୍ଗଳବାର ଅନୁଷ୍ଠିତ ବିଜେପି ସଂସଦୀୟ ଦଳ ବୈଠକରେ ମୋଦି ସଂସଦରେ ଅନୁପସ୍ଥିତ ରହୁଥିବା ସାଂସଦଙ୍କୁ ନେଇ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏବେଠୁ ଜଣେ ବି ସାଂସଦ ଯେପରି ଗୃହରେ ଅନୁପସ୍ଥିତ ନ ରହନ୍ତି ସେ ନେଇ ଚେତାଇ ଦେଇଛନ୍ତି। ସଂସଦର ଉଭୟ ସଦନରେ କାର୍ଯ୍ୟ ଆରମ୍ଭ ହେବାପୂର୍ବରୁ ବିଜେପି ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ସଂସଦରେ ଅନୁପସ୍ଥିତ ରହୁଥିବା ସାଂସଦଙ୍କୁ ଚିଠା ପ୍ରସ୍ତୁତ କରିବାକୁ କହିଛନ୍ତି।

ସାଂସଦଙ୍କ ଏପରି ଅନୁପସ୍ଥିତିକୁ ନେଇ ମୋଦି ଖୁବ୍ ଅସନ୍ତୁଷ୍ଟ ଥିଲେ। କହିଥିଲେ ପିଲାଙ୍କୁ ବାରମ୍ବାର ଅଟକାଇଲେ ସେମାନଙ୍କୁ ବି ଭଲ ଲାଗେନି। ନିଜେ ନିଜର ପରିବର୍ତ୍ତନ କରାନ୍ତୁ ନଚେତ ଏମିତିରେ ବି ପରିବର୍ତ୍ତନ ହୋଇଯାଏ ବୋଲି ସାଂସଦଙ୍କୁ କହିଛନ୍ତି। ସଂସଦରେ ଶାସକ ଦଳ ସାଂସଦଙ୍କ ଅନୁପସ୍ଥିତି ସାଧାରଣ ଘଟଣାରେ ପରିଣତ ହୋଇଛି। ଏଥିଲାଗି ଅନେକବାର ବିଜେପିକୁ ସଂସଦରେ ଅସହଜ ପରିସ୍ଥିତି ଭୋଗିବାକୁ ବି ପଡିଛି।

ସୂତ୍ରରୁ ମିଳୁଥିବା ସୂଚନାରୁ ଗୃହ କାର୍ଯ୍ୟରୁ ଗାୟବ ରହୁଥିବା ସାଂସଦମାନଙ୍କୁ ଜବାବ ମଧ୍ୟ ତଲବ କରାଯାଇଛି। ସଂସଦ ପରିସରରେ ସାଂସଦୀୟ ଦଳ ବୈଠକ ପ୍ରାୟତଃ ଲାଇବ୍ରେରୀରେ ହୋଇଥାଏ। ତେବେ ସେଠାରେ ମରାମତି କାର୍ଯ୍ୟ ଚାଲିଥିବାରୁ ମଙ୍ଗଳବାର ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ରରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ଜାତୀୟ ସଭାପତି ଜେ.ପି.ନଡ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Leave a comment