ବିଜୁ ଯୁବ ବାହିନୀଙ୍କୁ ମୋବାଇଲ ବାଣ୍ଟୁଛନ୍ତି ଦୁର୍ନୀତିଗ୍ରସ୍ତ କମ୍ପାନୀ ମାଲିକ: ଭାଜପା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜୁ ଯୁବ ବାହିନୀ ସଦସ୍ୟଙ୍କୁ ମୋବାଇଲ ବାଣ୍ଟାଯିବାକୁ ନେଇ ପ୍ରଶ୍ନ ଉଠାଇଛି ଭାଜପା । ନିର୍ବାଚନର ଦିନ କେଇଟା ପୂର୍ବରୁ କେତେଜଣ ଦୁର୍ନୀତିଗ୍ରସ୍ତ ଚିଟଫଣ୍ଡ କମ୍ପାନୀ ଓ ଖଣି ଦୁର୍ନୀତିରେ ସାମିଲ ଥିବା ଲୋକମାନେ ୩୧୪ଟି ବ୍ଲକରେ ପ୍ରତି ବ୍ଲକକୁ ୫ହଜାର ଟଙ୍କା ଲେଖାଏଁ ମୋବାଇଲ ପାଇଁ ବାଣ୍ଟୁଛନ୍ତି । ବ୍ଲକ ଓ ଜିଲ୍ଲା ପ୍ରଶାସନିକ ଅଧିକାରୀମାନେ ସରକାରୀ କାର୍ଯ୍ୟ ଭଳି ଏହାକୁ ତଦାରଖ କରୁଥିବା ବେଳେ ସରକାରୀସ୍ତରରେ ଏଥିପାଇଁ କୌଣସି ବଜେଟ୍ ହୋଇ ନଥିବା ବେଳେ କୌଣସି ଟେଣ୍ଡର ମଧ୍ୟ ପକାଯାଇନାହିଁ । ତେବେ ଘରୋଇ କମ୍ପାନୀମାନେ ଏତେଗୁଡେ ଟଙ୍କା ବାଣ୍ଟୁ ଥିବାରୁ ଏଥିରୁ ଦୁର୍ନୀତିର ଗନ୍ଧ ଆସୁଥିବା ଭାଜପା ଅଭିଯୋଗ କରିଛି । ତେବେ ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ଓ ଆୟକର କମିଶନଙ୍କୁ ଭେଟି ରାଜ୍ୟ ସରକାର, ବିଜୁ ଯୁବ ବାହିନୀ ଓ ସମ୍ପୃକ୍ତ ଦୁର୍ନୀତିଗସ୍ତ କମ୍ପାନୀଗୁଡ଼ିକ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛି । ଏହି ପ୍ରତିନିଧି ଦଳରେ ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମହାନ୍ତି, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପ ସଭାପତି ଠାକୁର ରଣଜିତ ଦାଶ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।