ମୁଖ୍ୟମନ୍ତ୍ରୀଙ୍କ ଛାଟ, ଦଳରୁ ବିଧାୟକ ପ୍ରଶାନ୍ତ ଜଗଦେବ ନିଲମ୍ବିତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳରେ ବିଶୃଙ୍ଖଳାକୁ ବରଦାସ୍ତ କରନ୍ତି ନାହିଁ । ଆଜି ଏହା ପୁନର୍ବାର ପ୍ରମାଣିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଜେପି ବାଲୁଗାଁ ନଗର ସଭାପତି ନିରଂଜନ ସେଠୀଙ୍କୁ ବିଚ ରାସ୍ତାରେ ମାଡ ମାରିବା ଘଟଣାକୁ ଗମ୍ଭୀରତା ସହ ନେଇ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି । ଏହାସହ ତାଙ୍କୁ ଖୋର୍ଦ୍ଧା ପ୍ଲାନିଂ ବୋର୍ଡ ଅଧ୍ୟକ୍ଷ ପଦରୁ ମଧ୍ୟ ହଟାଇ ଦିଆଯାଇଛି ।

ସୂଚନା ଅନୁଯାୟୀ, ବୁଧବାର ବାଲୁଗାଁ ଏନଏସିରେ ଭତା ଟଙ୍କା ବଂଟର ଓ ଆବାସ ଯୋଜନା କାର୍ଯ୍ୟକ୍ରମ କରା ଯାଉଥିଲା । ଏଥିରେ ଅନିୟମିତତା ହୋଇଥିବା ଅଭିଯୋଗ କରି ନଗର ସଭାପତି ନିରଞ୍ଜନ ସେଠୀ ପଚାରିବାକୁ ଯାଇଥିଲେ । ସେଠାରୁ ଫେରୁଥିବା ବେଳେ ହଠାତ ବିଧାୟକ ପ୍ରଶାନ୍ତ ଜଗଦେବ ସେଠାରେ ପହଁଚିଥିଲେ । ଏହି ସମୟରେ ନିରଂଜନଙ୍କୁ ସାମ୍ନାରେ ଦେଖି ଗାଡିରୁ ଓହ୍ଲାଇ ନିରଂଜନଙ୍କ ଆଡକୁ ମାଡି ଯାଇ ତାଙ୍କୁ ଧକ୍କା ମାରିଥିଲେ । ଏପରିକି ମାଡ ମଧ୍ୟ ମାରିଥିଲେ । ସର୍ବସମ୍ମୁଖରେ ବିଧାୟକ ମାଡ ମାରିବା ନେଇ ବିଜେପି ପ୍ରତିକ୍ରିୟାଶୀଳ ହୋଇଥିଲା । ଏନେଇ ଥାନାରେ ଏତଲା ଦେବା ସହ ବିଧାୟକଙ୍କ ଗିରଫ ଦାବିରେ ଥାନା ଆଗରେ ଧାରଣ ଦେଇଛନ୍ତି । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଖବରପାଇ ପୃଥ୍ୱୀରାଜ ହରିଚନ୍ଦନଙ୍କ ସହ ବହୁ ବିଜେପି ନେତା ଘଟଣାସ୍ଥଳରେ ପହଁଚିଛନ୍ତି ।

ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଦାଦାଗିରି ନୂଆ କଥା ନୁହଁ, ପୂର୍ବରୁ ମଧ୍ୟ ଏଭଳି ଅନେକ ନଜୀର ରହିଛି । ୨୦୧୬ରେ ବେଗୁନିଆ ବିଧାୟକ ଥିବା ବେଳେ ପ୍ରଶାନ୍ତ ଜଗଦ୍ଦେବ ବୋଲଗଡ ତହସିଲଦାର ନିହାରିକା ନାୟକଙ୍କୁ ମାଡ ମାରି ଚର୍ଚ୍ଚାରେ ଥିଲେ । ସେ ସମୟରେ ବୋଲଗଡ ତହସିଲର କର୍ମଚାରୀମାନେ କଲମଛାଡ ଆନ୍ଦୋଳନ କରିବା ସହ ବିଧାୟକ ଜଗଦ୍ଦେବଙ୍କୁ ଗିରଫ କରିବାକୁ ଦାବି କରିଥିଲେ । ସେହିପରି ବେଗୁନିଆର ପୂର୍ବତନ ସରପଚ ନବ କିଶୋର ସ୍ୱାଇଁଙ୍କୁ ସର୍ବ ସାଧାରଣରେ ଧମକାଇବା ଭଳି ତାଙ୍କ ନାମରେ ଅଭିଯୋଗ ଆସିଥିଲା ଏନେଇ ନବକିଶୋର ବେଗୁନିଆ ଥାନାରେ ଏତଲା ଦେଇଥିଲେ । ବିଧାୟକଙ୍କ ବିରୋଧରେ ଏମିତି ଅପରାଧିକ ଅଭିଯୋଗ ନୂଆ ନୁହେଁ । ପୂର୍ବରୁ ଲୋକଙ୍କୁ ମାଡ଼ ମାରିବା, ଧମକଚମକ ଦେବା ଓ ଗାଳିଗୁଲଜ କରିବା ଭଳି ଅଭିଯୋଗ ବିଜେଡି ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ନାଁରେ ରହିଛି । ସେହିପରି ମନମୁଣ୍ଡାରେ ଜଣେ ବିଜେପି କର୍ମୀଙ୍କୁ ମାଡ଼, ଭୁବନେଶ୍ୱରରେ ଉଠା ଦୋକାନୀଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି ଦେବା ଭଳି ଅନେକ ଘଟଣା ରହିଛି ।

Leave a comment