ଖୋର୍ଦ୍ଧା କୋଟରେ ଆତ୍ମ ସମର୍ପଣ କଲେ ବିଧାୟକ ପ୍ରଶାନ୍ତ ଜଗଦେବ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କିଛିଦିନର ପୋଲିସ ଏବଂ ବିଧାୟକ ଲୁଚକାଳି ଖେଳ ପରେ ଆଜି ଖୋର୍ଦ୍ଧା କୋର୍ଟରେ ଆତ୍ମସମର୍ପଣ କରିଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେଵ । ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏହି ମାମଲାକୁ ସମାଧାନ କରିବାକୁ ଦଳ ପକ୍ଷରୁ ପଡିଲା ଚାପ । ଶେଷରେ ବିଧାୟକ ପ୍ରଶାନ୍ତ ଜଗଦେଵ କଲେ ଆତ୍ମସମର୍ପଣ । ବାଲୁଗାଁ ମଣ୍ଡଳ ବିଜେପି ସଭାପତି ନିରଞ୍ଜନ ସେଠୀଙ୍କୁ ଆକ୍ରମଣ ଅଭିଯୋଗ ମାମଲାରେ ବିଧାୟକଙ୍କୁ ଗିରଫ ଦାବି ରେ ବାଲୁଗାଁ ଥାନା ସାମ୍ନାରେ ଶତାଧିକ ବିଜେପି କର୍ମୀ ଧାରଣା ଦେଇଥିଲେ। ନିରଞ୍ଜନଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ବିଧାୟକ ପ୍ରଶାନ୍ତଙ୍କ ବିରୋଧରେ ଏସ୍‌ସିଏସ୍‌ଟି ଆଗ୍ରେସିଟି ଆକ୍ଟରେ ଏକ ମାମଲା ରୁଜୁ କରିଥିଲା । ଏହି ଘଟଣା ପରେ ପ୍ରଶାନ୍ତଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଥିଲା। ବିଧାୟକ ନିଜର ଗିରଫଦାରିକୁ ଏଡ଼ାଇବାକୁ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। ଉକ୍ତ ଆବେଦନର ଶୁଣାଣି କରି ହାଇକୋର୍ଟ ବିଧାୟକ ଜଗଦେବଙ୍କୁ ତଳ କୋର୍ଟରେ ହାଜର ହୋଇ ଜାମିନ ଆବେଦନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ସୂଚନା ଅନୁଯାୟୀ, ଗତ ସେପ୍ଟେମ୍ବର ୮ତାରିଖରେ ବାଲୁଗାଁ ଏନ୍‌ଏସି କାର୍ଯ୍ୟାଳୟ ସମ୍ମୁଖରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମରେ ପ୍ରଶାନ୍ତ ଜଗଦେବ ମୁଖ୍ୟ ଅତିଥିଭାବେ ଯୋଗଦେବାର ଥିଲା। ହେଲେ କାର୍ଯ୍ୟକ୍ରମ ଆରମ୍ଭ ହେବାରେ ବିଳମ୍ବ ଘଟିବାରୁ ମଣ୍ଡଳ ବିଜେପି ସଭାପତି ନିରଞ୍ଜନ ବାଲୁଗାଁ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ। ଏହି ସମୟରେ ବିଧାୟକ ସେଠାରେ ପହଞ୍ଚି ନିରଞ୍ଜନ ଙ୍କୁ ଜାତିଆଣ ଆକ୍ଷପ କରି ଗାଳିଗୁଲଜ କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା ।

ବାଲୁଗାଁ ମଣ୍ଡଳ ବିଜେପି ସଭାପତି ନିରଞ୍ଜନ ସେଠୀଙ୍କୁ ଆକ୍ରମଣ ମାମଲାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଆଗୁଆ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ କରିବାସହ ଆସନ୍ତା ଶୁକ୍ରବାର ନିମ୍ନ ଅଦାଲତରେ ହାଜର ହୋଇ ସାନି ଜାମିନ ଆବେଦନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ନିମ୍ନ ଅଦାଲତ ପ୍ରଶାନ୍ତଙ୍କ ଆବେଦନକୁ ତ୍ଵରିତ ଶୁଣାଣି କରି ନିଷ୍ପତ୍ତି ନେବାକୁ ଉଚ୍ଚ ଅଦାଲତ ମଙ୍ଗଳବାର ନିର୍ଦ୍ଦେଶ ଦେଇଥିଲେ।

Leave a comment