ବିଧାୟକ ପ୍ରଶାନ୍ତ ଜଗଦେଵଙ୍କୁ ମିଳିଲା ଜାମିନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାଲୁଗାଁ ମଣ୍ଡଳ ବିଜେପି ସଭାପତି ନିରଞ୍ଜନ ସେଠୀଙ୍କୁ ଆକ୍ରମଣ ଅଭିଯୋଗରେ ସର୍ତମୂଳକ ଜାମିନରେ ମୁକୁଳିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେଵ । ଆଜି ଉଚ୍ଚନ୍ୟାୟାଳୟରୁ ତାଙ୍କୁ ଏହି ଜାମିନ ପ୍ରଦାନ କରାଯାଇଛି । ପୂର୍ବରୁ ବିଧାୟକ ପ୍ରଶାନ୍ତ ଜଗଦେବ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ ମଧ୍ୟ ଉଚ୍ଚନ୍ୟାୟାଳୟ ଏହାକୁ ଖାରଜ କରିବା ସହ ତୁରନ୍ତ ତଳ କୋର୍ଟରେ ହାଜର ହୋଇ ଜାମିନ ଆବେଦନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେ ଗତ ଶୁକ୍ରବାର ଖୋର୍ଦ୍ଧା କୋର୍ଟରେ ଆତ୍ମସମର୍ପଣ କରିଥିଲେ । ସେଠାରେ ତାଙ୍କ ଜାମିନ ଖାରଜ ହେବାପରେ ସେ କୋଟ ପରିସରରେ ଅସୁସ୍ଥ ହୋଇ ପଡ଼ିଥିଲେ । ସେଠାରୁ ତାଙ୍କୁ ଖୋର୍ଦ୍ଧା ମେଡିକାଲ ଓ ପରେ ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ।

ସୂଚନା ଅନୁଯାୟୀ, ଗତ ସେପ୍ଟେମ୍ବର ୮ତାରିଖରେ ବାଲୁଗାଁ ଏନ୍‌ଏସି କାର୍ଯ୍ୟାଳୟ ସମ୍ମୁଖରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମରେ ପ୍ରଶାନ୍ତ ଜଗଦେବ ମୁଖ୍ୟ ଅତିଥିଭାବେ ଯୋଗଦେବାର ଥିଲା। ହେଲେ କାର୍ଯ୍ୟକ୍ରମ ଆରମ୍ଭ ହେବାରେ ବିଳମ୍ବ ଘଟିବାରୁ ମଣ୍ଡଳ ବିଜେପି ସଭାପତି ନିରଞ୍ଜନ ବାଲୁଗାଁ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ। ଏହି ସମୟରେ ବିଧାୟକ ସେଠାରେ ପହଞ୍ଚି ନିରଞ୍ଜନ ଙ୍କୁ ଜାତିଆଣ ଆକ୍ଷପ କରି ଗାଳିଗୁଲଜ କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା ।

ବାଲୁଗାଁ ମଣ୍ଡଳ ବିଜେପି ସଭାପତି ନିରଞ୍ଜନ ସେଠୀଙ୍କୁ ଆକ୍ରମଣ ଅଭିଯୋଗ ମାମଲାରେ ବିଧାୟକଙ୍କୁ ଗିରଫ ଦାବି ରେ ବାଲୁଗାଁ ଥାନା ସାମ୍ନାରେ ଶତାଧିକ ବିଜେପି କର୍ମୀ ଧାରଣା ଦେଇଥିଲେ। ନିରଞ୍ଜନଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ବିଧାୟକ ପ୍ରଶାନ୍ତଙ୍କ ବିରୋଧରେ ଏସ୍‌ସିଏସ୍‌ଟି ଆଗ୍ରେସିଟି ଆକ୍ଟରେ ଏକ ମାମଲା ରୁଜୁ କରିଥିଲା । ଏହି ଘଟଣା ପରେ ପ୍ରଶାନ୍ତଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଥିଲା।

Leave a comment