ପଦ୍ମପୁର ଉପ-ନିର୍ବାଚନରେ କଂଗ୍ରେସର ପରାଜୟକୁ ନେଇ ନେତାଙ୍କୁ ବିଧାୟକ ମହମ୍ମଦ ମୋକିମଙ୍କ ଟାର୍ଗେଟ, ବିଜେଡି ସୁପ୍ରିମୋଙ୍କ ଠାରୁ କଂଗ୍ରେସ ଅନୁକରଣ କରିବା କଥା
ପଦ୍ମପୁର ଉପ-ନିର୍ବାଚନରେ କଂଗ୍ରେସର ପରାଜୟକୁ ନେଇ ଦଳର ନେତାଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ । ଉପ-ନିର୍ବାଚନରେ କଂଗ୍ରେସର ଅବସ୍ଥା ଏମିତି କାହିଁକି ହେଉଛି ତାହା ଚିନ୍ତା କରିବାର ସମୟ ଆସିଛି । କର୍ମୀଙ୍କ ମନରେ ପ୍ରଶ୍ନ ଉଠିଲାଣି କାହିଁକି ଉପ-ନିର୍ବାଚନରେ କଂଗ୍ରେସର ଭୋଟହାର ଖସୁଛି ।
ଦିଲ୍ଲୀରୁ ଦାୟିତ୍ୱ ଦିଆ ଯାଇଥିବା ଲୋକ କାହିଁକି ଗ୍ରାଉଣ୍ଡରେ ପଡିରହି କଂଗ୍ରେସକୁ ଜିତାଇବା ପାଇଁ ପ୍ରୟାସ କରୁନାହାନ୍ତି ବୋଲି କଂଗ୍ରେସ ସଭାପତିଙ୍କୁ ପରୋକ୍ଷରେ ବାଣ ମାରିଛନ୍ତି ମୋକିମ ।
ଏହାସହ ମୋକିମ କହିଛନ୍ତି, ପ୍ରଧାନମନ୍ତ୍ରୀ ଯଦି ୫୪ କିଲୋମିଟର ରୋଡ ସୋ’ କରୁଛନ୍ତି ନିଜ ଦଳକୁ ଜିତାଇବା ପାଇଁ ତେବେ କଂଗ୍ରେସର ଯେଉଁମାନେ ପ୍ରଭାରୀ ଅଛନ୍ତି ଓ ଦାୟିତ୍ୱରେ ଅଛନ୍ତି ସେମାନେ କାହିଁକି ନିର୍ବାଚନକୁ ପିକନିକ୍ ଭଳି ଭାବୁଛନ୍ତି । ଏହାଛଡା ସୋ କଲଡ୍ ସିନିୟର ଲିଡର ଏବେ କଂଗ୍ରେସ ପାଇଁ ଆସେଟ ନୁହେଁ ବରଂ ଲାଇବିଲିଇଟି ପାଲଟିଗଲେଣି । ସେମାନଙ୍କୁ ଦେଖି ଲୋକେ ଆଉ ଭୋଟ ଦେବାକୁ ଚାହୁଁନାହାନ୍ତି । ତେଣୁ ସେମାନଙ୍କୁ ଗୋଲଡେନ୍ ହାର୍ଟ ସହ ଅବସର ଦେବାକୁ ପଡିବ । ଯାହା ପ୍ରତି ଲୋକଙ୍କ ଆକର୍ଷଣ ନାହିଁ ସେମାନଙ୍କୁ ସାମ୍ନାକୁ ଆଣି ଭୋଟ ହରାଉଛି କଂଗ୍ରେସ ।
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କଂଗ୍ରେସ ଅନୁକରଣ କରିବା କଥା । ବିଜେଡି ପାଇଁ ନବୀନ ଯେଉଁଭଳି ନିଷ୍ପତ୍ତି ନେଉଛନ୍ତି ତାହାକୁ କଂଗ୍ରେସ ଅନୁକରଣ କରିବାର ଆବଶ୍ୟକତା ରହିଛି । ନୂଆ ଯୁବବର୍ଗଙ୍କୁ ସୁଯୋଗ ଦେବାର ଆବଶ୍ୟକତା ରହିଛି । ଯେଉଁମାନଙ୍କୁ ଦାୟିତ୍ୱ ଦିଆଯାଉଛି ସେମାନଙ୍କୁ କାରଣ ପଚାରଯିବାର କଥା ଏବଂ ଆବଶ୍ୟକସ୍ଥଳେ କାର୍ଯ୍ୟାନୁଷ୍ଠାନ ନେବା କଥା । ନିର୍ବାଚନ ପୂର୍ବରୁ ଦଳକୁ କିଭଳି ସରେଣ୍ଡର କରି ଦିଆଯାଉଛି ଏବଂ ଭୋଟ ବିକିବା ପାଇଁ ମୁଲଚାଲ ହେଉଛି । ଏହା ଦାୟିତ୍ୱରେ ଥିବା ନେତାଙ୍କ ପ୍ରତି ସନ୍ଦେହ ସୃଷ୍ଟି କରୁଛି ଏବଂ ଦିଲ୍ଲୀ କଂଗ୍ରେସ ଉପରେ ମଧ୍ୟ ପ୍ରଶ୍ନବାଚୀ ଛିଡା କରୁଛି । ଅଗଣିତ କର୍ମୀ ଭୟଭୀତ ଅବସ୍ଥାରେ ଅଛନ୍ତି କଂଗ୍ରେସ ପତାକା ଧରିବେ କି ନାହିଁ । ଆଉ ଯଦି ଏଭଳି ସ୍ଥିତି ଲାଗି ରୁହେ ତେବେ ଓଡ଼ିଶାରୁ କଂଗ୍ରେସ ବିଲୁପ୍ତ ହୋଇଯିବ ।
ଯଦି ପରିବର୍ତ୍ତନ ନହୁଏ ତେବେ ଦଳ ସୁଧୁରି ପାରିବ ନାହିଁ । ଯେଉଁମାନେ ସାମ୍ନାରେ ବସୁଛନ୍ତି ସେମାନଙ୍କୁ ସମ୍ମାନର ସହ ପଛକୁ ପଠାଇ ନୂଆ ପିଢିକୁ ଆଗକୁ ଆଣିବାକୁ ପଡିବ । ନିର୍ବାଚନ ପୂର୍ବରୁ ଦଳ ସରେଣ୍ଡର ହୋଇଗଲା ବୋଲି ପ୍ରଚାର ହେଲା । ସବୁବେଳେ ଦଳର ପ୍ରାର୍ଥୀ ପରାଜିତ ହେବା ପରେ ସମ୍ବଳ ନଥିବାରୁ ହାରିଲୁ ବୋଲି କୁହାଯାଉଛି । ଯଦି ସମ୍ବଳ ନାହିଁ ଲୋକ ହସା ହେବା ପାଇଁ ପ୍ରାର୍ଥୀ କାହିଁକି ଦିଆଯାଉଛି? କଂଗ୍ରେସ ନେତା ବୋଲି ପରିଚୟ ଦେବାକୁ କଷ୍ଟ ଅନୁଭବ ହେଲାଣି । ଆଉ ଯୁବପିଢୀ ଚୁପ୍ ହୋଇ ବସିଲେ ଚଳିବନି, ସାମ୍ନାକୁ ଆସନ୍ତୁ, କଂଗ୍ରେସର ଅବସ୍ଥା ଯେଉଁଥିପାଇଁ ଏମିତି ହୋଇଛି ତାହା ବିରୋଧରେ ସ୍ୱର ଉଠାନ୍ତୁ ସେମାନଙ୍କୁ ବିତାଡିତ କରନ୍ତୁ । ନୂଆ ପିଢୀ ସାମ୍ନାକୁ ଆସନ୍ତୁ ନୂଆ କଂଗ୍ରେସ ତିଆରି ପାଇଁ ଚେଷ୍ଟା କରନ୍ତୁ ।
ଗୁଜରାଟରେ ଯିଏ କଂଗ୍ରେସ ଦଳର ଦାୟିତ୍ୱରେ ଥିଲେ କଂଗ୍ରେସର ଖରାପ ପ୍ରଦର୍ଶନ ପରେ ତୁରନ୍ତ ଦଳରୁ ଇସ୍ତଫା ଦେଇଛନ୍ତି । କିନ୍ତୁ ଓଡ଼ିଶାରେ ମଉଜ ମଜଲିସ ପାଇଁ କଂଗ୍ରେସ ନେତା ନିର୍ବାଚନ ମୈଦାନକୁ ଯାଉଛନ୍ତି, ବାସ୍ତବରେ ଯେମିତି ଲଢାଯାଏ ସେମିତି ଯାଉନାହାନ୍ତି । ଅତି ଖରାପ ଅବସ୍ଥାରେ କଂଗ୍ରେସ ପଡିକି ଅଛି । କିନ୍ତୁ ଦୁଃଖର ବିଷୟ ଯଦି ଦଳର ସେନାପତି ବିଶ୍ୱାସଘାତକତା କରିବେ ତେବେ ଦଳ ଆଗକୁ କେମିତି ଯିବ? ଉପ-ନିର୍ବାଚନ ହେଲେ କଂଗ୍ରେସ ବଡପଣ୍ଡାଙ୍କ ପାଇଁ ସୁଯୋଗ ସୃଷ୍ଟି ହେଉଛି କିଭଳି କଂଗ୍ରେସ ଭୋଟ ଅନ୍ୟ ଦଳ ସପକ୍ଷକୁ ଆଣି ନିଜ ପକେଟକୁ ଗରମ କରିବେ । ଏଭଳି ସ୍ଥିତି ଲାଗି ରହିଲେ କଂଗ୍ରେସର ଲଢେଇ ନୋଟା ସହ ହେବ । ତେଣୁ ଦଳକୁ ଏବେଠୁ ସୁଦୃଢ କରିବାକୁ ହେଲେ ରୋଡମ୍ୟାପ୍ ପ୍ରସ୍ତୁତ କରିବାକୁ ହେବ ବୋଲି କହିଛନ୍ତି ମୋକିମ । ଆଉ ମୋକିମଙ୍କ ବୟାନ ଏବେ କଂଗ୍ରେସ ରାଜନୀତିରେ ଭୃକୁଞ୍ଚନ ସୃଷ୍ଟି କରିଛି ।