ଘରେ ନ ପଶୁଣୁ ବୁନୁଙ୍କ ମୁଣ୍ଡରେ ବାଜିଲାଣି ଚାଳ, ବିଜେଡ଼ି ଦଳରେ ଚର୍ଚ୍ଚା

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବିଜେଡ଼ିର ଭୁବନେଶ୍ୱର ଜିଲ୍ଲା ସଭାପତି ବଦଳି ହେବାର ମାତ୍ର ହେଇଛି କେଇଟା ଦିନ ଏବେଠୁ ଦେଖା ଦେଲାଣି ଗୋଷ୍ଠୀ କନ୍ଦଳ । ନୂତନ ଭାବେ ଜିଲ୍ଲା ସଭାପତି ଦାୟିତ୍ୱ ନେଇଥିବା ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା (ବୁନୁ) ଦାୟିତ୍ୱ ନେବାର ମାତ୍ର ତିନି ଚାରି ଦିନ ହେବ । ଘରେ ନ ପଶୁଣୁ ବାଜିଲାଣି ଚାଳ । ଆସନ୍ତା ୫ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବିଜୁବାବୁଙ୍କ ଜୟନ୍ତୀ ଉପଲକ୍ଷେ ମଧ୍ୟ ବିଧାୟକ ବୁନୁ ପୂର୍ବତନ ୧୨ରୁ ଉର୍ଦ୍ଧ କର୍ପୋରେଟରଙ୍କୁ ମିଟିଂ ପାଇଁ ଡାକିଥିବା ବେଳେ ପୂର୍ବତନ ଭୁବନେଶ୍ୱର ଜିଲ୍ଲା ସଭାପତି ଅମରେଶ ଜେନା(ବାଇଁଆ)ଙ୍କୁ ଏଥିରୁ ବାଦ ଦେଇଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିବା ଶୁଣିବାକୁ ମିଳିଛି । ଏହି ଘଟଣା ପରେ ସମସ୍ତ ପୂର୍ବତନ କର୍ପୋରେଟର ମଧ୍ୟ ବିଧାୟକ ବୁନୁଙ୍କୁ ଏଥିପାଇଁ ଦାୟୀ କରିଥିଲେ । ଏହା ବିଧାୟକଙ୍କ ଭୁଲ ବୋଲି କହିଥିବା ସୂଚନା ମିଳିଛି ।
ସେହିପରି ଦୁଇଦିନ ତଳେ ବିଧାୟକ ବୁନୁ ଉତ୍ତର ନିର୍ବାଚନ ମଣ୍ଡଳୀର କିଛି କର୍ପୋରେଟରଙ୍କୁ ନିଜ ଘରକୁ ଡାକି ଉତ୍ତର ବିଧାୟକ ସୁଶାନ୍ତଙ୍କ ବିରୁଦ୍ଧରେ ଗୁପ୍ତ ମନ୍ତ୍ରଣା କରିଥିବା ଶୁଣିବାକୁ ମିଳୁଛି ।
ସୂଚନା ଅନୁଯାୟୀ, ପୂର୍ବରୁ ଦୁଇ ଦୁଇ ଥର ମେୟର ହୋଇସାରିଥିବା ବିଧାୟକ ବୁନୁଙ୍କ ଦଳ ମଧ୍ୟରେ ଦବଦବା କିଛି କମ ନୁହେଁ । ଭୁବନେଶ୍ୱର ମଧ୍ୟ ଟିକେଟ ହାତେଇବା ପରେ ବୁନୁ ନିଜ ସ୍ୱାର୍ଥ ଦୃଷ୍ଟିରୁ କିଛି ବିଜେଡି ନେତାଙ୍କ ସହ ନିଜ ଅନିଚ୍ଛା ସତ୍ତ୍ୱେ ହାତ ମିଳାଇ ଥିଲେ । ବିଧାୟକ ବୁନୁ କିନ୍ତୁ ନିଜ ସ୍ୱାର୍ଥ ସାଧନ ପରେ ସବୁକିଛି ଭୁଲି ଯାଇଛନ୍ତି ବୋଲି ଦଳ ମଧ୍ୟରେ ଚର୍ଚ୍ଚା ହେଉଛି ।
ଗତ ନିର୍ବାଚନରେ ବାଇଁଆଙ୍କୁ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଜିଲ୍ଲା ସଭାପତି ଦାୟିତ୍ୱ ପ୍ରଦାନ କରିବା ସହ ଏହା ଅଧୀନରେ ଥିବା ସମସ୍ତ ନିର୍ବାଚନ ମଣ୍ଡଳୀରେ ବିଜେଡି ସଙ୍ଗଠନକୁ ମଜଭୁତ କରିବା ପରି ଗୁରୁ ଦାୟିତ୍ୱ ନ୍ୟସ୍ତ କରିଥିଲେ । ବାଇଁଆ ନିଜ ଦଳୀୟ କର୍ତ୍ତବ୍ୟ ସୂଚାରୁ ରୂପେ ପ୍ରତିପାଦନ କରିଥିଲେ । ମାତ୍ର କଛିଦିନ ତଳେ ବୁନୁଙ୍କୁ ଭୁବନେଶ୍ୱର ଜିଲ୍ଲା ସଭାପତି ଦାୟିତ୍ୱ ମିଳିବା ପରେ ସେ ଦଳୀୟ ସଙ୍ଗଠନକୁ ମଜବୁତ କରିବା ବଦଳରେ ଏହାକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଦଳ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି ।
ଏହି ଘଟଣାର ସତ୍ୟାସତ୍ୟ ଜାଣିବାକୁ ପୂର୍ବତନ ଭୁବନେଶ୍ୱର ଜିଲ୍ଲା ସଭାପତି ଅମରେଶଙ୍କୁ ଯୋଗାଯୋଗ କରାଯାଇଥିଲା । ସେ କହିଥିଲେ, ଆମ ଭିତରେ ସେପରି କୌଣସି ଘଟଣା ଘଟିନାହିଁ । ଆମ ଦଳର ନେତା ଏକ, ଆମ ଦଳ ଏକ । ଆମ ସଙ୍ଗଠନ ଖୁଵ ମଜଭୁତ । ଅପରପକ୍ଷରେ ମଧ୍ୟ ବିଧାୟକ ବୁନୁଙ୍କ ସହ ଏସମ୍ୱନ୍ଧରେ କୌଣସି ପ୍ରତିକ୍ରିୟା ଆମର ହସ୍ତଗତ ହୋଇପାରିନାହିଁ ।