ନବୀନଙ୍କୁ ଷ୍ଟାଲିନଙ୍କ ଚିଠି; ବାଣ ଉପରୁ ବ୍ୟାନ୍ ହଟାଇବାକୁ କଲେ ଅନୁରୋଧ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦୀପାବଳିରେ ବାଣ ଉପରେ ଲାଗିଥିବା ବ୍ୟାନ୍ ହଟାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ। ସୁପ୍ରିମକୋର୍ଟ ଏବଂ ଏନଜିଟିଙ୍କ ଦ୍ବାରା ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ କମ୍ ପ୍ରଦୂଷଣ କରୁଥିବା ବାଣକୁ ଅନୁମତି ଦିଆଯାଉ ବୋଲି ଷ୍ଟାଲିନ୍ କହିଛନ୍ତି। ଓଡ଼ିଶା ସମେତ ୪ ରାଜ୍ୟ ଦିଲ୍ଲୀ , ହରିୟାଣା ଏବଂ ରାଜସ୍ଥାନ ସରକାରଙ୍କୁ ଚିଠି ଲେଖିଛନ୍ତି ଷ୍ଟାଲିନ। ସେ ଆହୁରି ଲେଖିଛନ୍ତି, ଦୀପାବଳିକୁ ଆଉ ୩ ସପ୍ତାହରୁ କମ୍ ସମୟ ଥିବା ବେଳେ ବାଣ ଉପରୁ ବ୍ୟାନ ନଉଠିଲେ ୮ ଲକ୍ଷ କାରିଗର ସିଧାସଳଖ ପ୍ରଭାବିତ ହେବେ।
କରୋନା ମହାମାରୀ ପାଇଁ ଛୋଟ, ମଧ୍ୟମ ଉଦ୍ୟୋଗ ପ୍ରଭାବିତ ହୋଇଛି। ତାମିଲନାଡୁର ଅର୍ଥବ୍ୟବସ୍ଥା ଏମଏସ୍ଏମଇ ସେକ୍ଟର ଉପରେ ନିର୍ଭର କରେ। ବାଣ ଉପରେ ବ୍ୟାନ ଯୋଗୁଁ କର୍ମଚାରୀମାନେ ବେଶୀ ପ୍ରଭାବିତ ହେବେ ବୋଲି ସେ ଲେଖିଛନ୍ତି। ଭାରତର ସବୁଠୁ ବଡ଼ ବାଣ ଉତ୍ପଦନକାରୀ କମ୍ପାନୀ ବିରୋଧୁନଗର ଜିଲ୍ଲାର ଶିବକାଶୀରେ ରହିଛି। ଦୀପାବଳି ସମୟରେ ଆପଣଙ୍କ ସରକାର ବାଣ ଉପରେ ବ୍ୟାନ ଲଗାଇଥିବା ଜାଣିବାକୁ ପାଇଲି ବୋଲି ମଧ୍ୟ ଚିଠିରେ ଉଲ୍ଲେଖ କରିଛନ୍ତି ଷ୍ଟାଲିନ। ଏହା ସହ ଯଦିଓ ଆପଣମାନେ ପ୍ରଦୂଷଣକୁ ନଜରରେ ରଖି ବାଣ ବ୍ୟାନ ନିଷ୍ପତ୍ତି ନେଇଛନ୍ତି କିନ୍ତୁ ସୁପ୍ରିମକୋର୍ଟଙ୍କ ନିର୍ଦେଶାନୁସାରେ ଏଥିରେ କୋହଳ କରାଯାଉ। କମ୍ ପ୍ରଦୂଷଣ କରୁଥିବା ବାଣ ଫୁଟାଇବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ଏହି ଭଳି ବାଣ ମଧ୍ୟ ବିଦେଶରେ ବ୍ୟାନ ହୋଇନାହିଁ। ତେଣୁ ବ୍ଲାଙ୍କେଟ୍ ବ୍ୟାନ୍ ହଟାଇବା ପାଇଁ ସେ ଅନୁରୋଧ କରିଛନ୍ତି।
ଶେଷରେ ପରିବେଶ ସହ ଜୀବନ ଜୀବିକାକୁ ବଞ୍ଚାଇବା ପାଇଁ ନ୍ୟାସନାଲ୍ ଗ୍ରୀନ ଟ୍ରିବ୍ୟୁନାଲ୍ (ଏନଜିଟି) ଏବଂ ସୁପ୍ରିମକୋର୍ଟଙ୍କ ଦ୍ବାରା ଧାର୍ଯ୍ୟ ମାନଦଣ୍ଡ ଅନୁସାରେ କମ୍ ପ୍ରଦୂଷଣ କରୁଥିବା ବାଣକୁ ଅନୁମତି ଦେବା ପାଇଁ ଚିଠି ମାଧ୍ୟମରେ ଏମକେ ଷ୍ଟାଲିନ ୪ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।