ଗ୍ରାମାଞ୍ଚଳ ରାସ୍ତା ନେଇ ବିଧାନସଭାରେ ଉଠିଲା ପ୍ରଶ୍ନ, ଉତ୍ତର ରଖିଲେ ମନ୍ତ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗ୍ରାମାଞ୍ଚଳରେ ରାସ୍ତା ଦୟନୀୟ ସ୍ଥିତିରେ ରହିଥିବା ନେଇ ଆଜି ଗୃହରେ ଉଦବେଗ ପ୍ରକାଶ କରିଛନ୍ତି ଉଭୟ ଶାସକ ଦଳ ଓ ବିରୋଧୀ ନେତା । ଆଜି ବିଧାନସଭା ଅଧିବେଶନ ପ୍ରଶ୍ନକାଳରେ ଉଠିଲା ଗ୍ରାମାଞ୍ଚଳ ରାସ୍ତା ପ୍ରସଙ୍ଗ । ବିଜେଡି ବିଧାୟକ ମନୋହର ରନ୍ଧାରୀ, ଅନନ୍ତ ଦାସ, ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, କୁସୁମ ଟେଟେ, ପ୍ରମୋଦ ମଲ୍ଲିକ ଗ୍ରାମାଞ୍ଚଳ ରାସ୍ତା ଉପରେ ପ୍ରଶ୍ନ ଉଠାଇଥିଲେ । ଏହାର ଉତ୍ତର ରଖିଛନ୍ତି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ।
ସେ କହିଛନ୍ତି ୨୦୦୧ ଜନଗଣନା ଅନୁଯାୟୀ ରାଜ୍ୟରେ ୫୦୧୭୮ ଗାଁ ରହିଛି । ଏଥିରୁ ୨୯୫୩୭ ଗାଁ କୁ ରାସ୍ତା ଅଛି । ୧୮୪୭୭ ଗାଁ କୁ ରାସ୍ତା କରିବା ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ରାସ୍ତା କରିବା ପାଇଁ ଯୋଜନା ହୋଇଥିଲା । ଏଥିରୁ ରାଜ୍ୟର ୧୭୦୮୯ ଗାଁକୁ ରାସ୍ତା ମାଧ୍ୟମରେ ସଂଯୋଗ କରିବାକୁ ଅର୍ଥ ମଞ୍ଜୁର ହୋଇଥିଲା । ଏଥିରୁ ୧୬୩୪୭ ଗାଁକୁ ସଂଯୋଗ ସରିଛି । ୭୩୨ ଟି ଗାଁକୁ ସଂଯୋଗ କାମ ଚାଲିଛି । ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା-୨ରେ ୧୬୧୫. ୫୧ କୋଟି ଟଙ୍କା ଅନୁମୋଦନ ହୋଇଛି ।
ସୂଚନାଯୋଗ୍ୟ, ଯୋଜନା ଓ ସଂଯୋଜନ ବିଭାଗ ଭଳି ଗ୍ରାମ୍ୟ ଉନ୍ନୟନ ବିଭାଗର ଏକ ୱେବସାଇଟ କରିବାକୁ ବାଚସ୍ପତି ସୂର୍ଯ୍ୟ ପାତ୍ର ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ପରାମର୍ଶ ଦେଇଛନ୍ତି । ଏହାଦ୍ଵାରା ଅର୍ଥ କେଉଁଭଳି ଖର୍ଚ୍ଚ ହେଲା ବିଧାୟକ ମାନେ ଜାଣି ପାରିବେ । ଗୋଟିଏ ବର୍ଷରେ ରାଜ୍ୟରେ ନିର୍ମାଣ ହୋଇଛି ମାତ୍ର ୯ଟି ରାସ୍ତା । ବିଧାନସଭାରେ ଏଭଳି ନୈରାଶ୍ୟ ଜନକ ଉତ୍ତର ରଖିଛନ୍ତି ଖୋଦ୍ ବିଭାଗୀୟ ମନ୍ତ୍ରୀ ।