ରୋଗୀକୁ ପଠାଇଲେ ହସ୍ପିଟାଲ, ଆହାର କେନ୍ଦ୍ରରେ ଖାଇ ଖାଦ୍ୟର ମାନ ଯାଞ୍ଚ କଲେ ମନ୍ତ୍ରୀ ସୁଶାନ୍ତ ସିଂ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫ମ ପାଳି ସରକାରର ମନ୍ତ୍ରୀ ମାନେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ସମ୍ପୂର୍ଣ୍ଣ ରୂପେ ପାଳନ କରୁଛନ୍ତି । ନିଜେ ଜନତାଙ୍କ ନିକଟକୁ ଯାଇ ସେମାନଙ୍କ ସୁବିଧା ଅସୁବିଧା ବୁଝୁଛନ୍ତି ଓ ଏହାର ସମାଧାନ ପାଇଁ ଚେଷ୍ଟା ମଧ୍ୟ କରୁଛନ୍ତି । ଏହିପରି ଏକ ଘଟଣା ବରଗଡ଼ ଅଞ୍ଚଳରେ ଦେଖିବାକୁ ମିଳିଛି । ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ ବରଗଡ ଆଇବିରୁ ଫେରିଲାବେଳେ ଡୁମ୍ବେରପାଲ୍ଲୀ ଗାଁର ଜଣେ ପକ୍ଷାଘାତ ରୋଗୀ ସହାୟତା ଭିକ୍ଷା କରୁଥିବା ଦେଖି ତାଙ୍କୁ ବୁର୍ଲା ମେଡ଼ିକାଲ ପଠାଇବା ବ୍ୟବସ୍ଥା କରିଥିଲେ । ସେହିପରି ଉକ୍ତ ରୋଗୀଙ୍କ ସହ ମେଡ଼ିକାଲ ପରିସରରେ ଥିବା ଆହାର କେନ୍ଦ୍ରରେ ଭୋଜନକରି ଖାଦ୍ୟର ମାନ ଯାଞ୍ଚ କରିଥିଲେ ।
ସୂଚନା ଅନୁଯାୟୀ, ପର୍ବରୁ ମଧ୍ୟ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ ନିଜ ବିଭାଗ ଅଧିନରେ ଆସୁଥିବା କେଉଁ କାର୍ଯ୍ୟାଳୟକୁ ଅଚାନକ ପରିଦର୍ଶନରେ ଯାଉଛନ୍ତି ତ ଆଉକେତେବେଳେ ବିଦ୍ୟାଳୟରେ ଅଚାନକ ପହଞ୍ଚି ଛାତ୍ରଛାତ୍ରୀଙ୍କ ସହ ପାଠପଢା ବିଷୟରେ ପଚାରି ବୁଝୁଛନ୍ତି ।ରାସ୍ତାଘାଟରେ ଅସହାୟ ହୋଇ ପଡ଼ିଥିବା ନିରାଶ୍ରୟ ବା ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ନିଜେ ଡାକ୍ତରଖାନାରେ ପହଞ୍ଚାଉଛନ୍ତି । ଏହାକୁ ଦେଖି ସାଧାରଣ ଜନତା ମନ୍ତ୍ରୀଙ୍କ ପ୍ରସଂଶା କରୁଥିବା ଶୁଣିବାକୁ ମିଳୁଛି ।