ସମୀରଙ୍କୁ ଘାରିଛି ରଣଜିତ୍ ଭୟ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ବିଜେଡ଼ି ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ପ୍ରାୟ ସମସ୍ତ ସ୍ଥାନରେ ଆଶାୟୀକୁ ନେଇ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି । ଆଶାୟୀ ମାଳ ମାଳ ମାତ୍ର ଟିକେଟ ସୀମିତ । ଅସନ୍ତୋଷ ବଢ଼ିବା ସ୍ୱାଭାବିକ । ମାତ୍ର ଏହାକୁ ଶାସକ ଦଳ କିପରି ସମାଧାନ କରି ଗୋଷ୍ଠି କନ୍ଦଳର ଅନ୍ତ ଘଟାଇ ଲୋକ ମତ ନିଜ ସପକ୍ଷରେ କରୁଛି ଏହାକୁ ନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।
ପଞ୍ଚାୟତ ନିର୍ବାଚନ ମୁଣ୍ଡ ଉପରେ ଥିବାବେଳେ ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ଉଷ୍ମତା ବଢ଼ିବାରେ ଲାଗିଛି, ବିଶେଷ କରି ନିମାପଡ଼ାରେ ଥିବା ଚାରିଗୋଟି ଜିଲ୍ଲା ପରିଷଦ ଜୋନ୍ ମଧ୍ୟରୁ ୧୯ ନମ୍ବର ଜୋନ୍ ସବୁଠାରୁ ଅଧିକ ଚର୍ଚ୍ଚାରେ ଅଛି । କାରଣ, ଏହିଠାରୁ ବର୍ତ୍ତମାନର ବିଧାୟକ ତଥା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶଙ୍କ ଆଶ୍ରିତ କବିନ୍ଦ୍ର ଖଟାଇ ଗୋଟିଏ ପଟରେ ଥିବାବେଳେ ଅନ୍ୟପଟେ ପୂର୍ବତନ ଛାତ୍ର ତଥା ଯୁବନେତା ଏବଂ ବର୍ତ୍ତମାନ ବିଜୁ ଜନତା ଦଳର ରାଜ୍ୟ ଯୁଗ୍ମ ସମ୍ପାଦକ ଶ୍ରୀ ରଣଜିତ୍ ରାଏ ମଧ୍ୟ ଏହି ରେସ ରେ ଅଛନ୍ତି, କବିନ୍ଦ୍ର ଖଟାଇ ତିନି ତିନି ଥର ପଞ୍ଚାୟତ ସମିତି ଅଧ୍ୟକ୍ଷ ଥିବାବେଳେ, ରଣଜିତ୍ ହେଉଛନ୍ତି ବିଜୁ ଜନତା ଦଳର ହେଭିୱେଟ ନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରଯୁକ୍ତ ଅତନୁ ସବ୍ୟସାଚୀ ନାୟକଙ୍କ ପଟ୍ଟଶିଷ୍ୟ ଓ ବର୍ତ୍ତମାନର ସାଂଘଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶଙ୍କ ଗୁଡ଼ବୁକରେ ଥିବା ଆଲୋଚନା ହେଉଛି । ଆହୁରି ମଧ୍ୟ ଆଲୋଚନା ହେଉଅଛି ଯେ, ପୁରୀ ଜିଲ୍ଲାର ଜଣେ ଟାଣୁଆ ନେତାଙ୍କ ବାହ୍ୟ ସମର୍ଥନ ମଧ୍ୟ ତାଙ୍କୁ ଅଛି ।
ଶୁଣିବାକୁ ମିଳୁଛି କି, ସମୀର ରଞ୍ଜନ ଦାଶ ତାଙ୍କ ଜିଦରେ ଅଟଳ ଅଛନ୍ତି ଯେପରି ରଣଜିତଙ୍କ ବଦଳରେ ତାଙ୍କ ଆଶ୍ରିତ କବିନ୍ଦ୍ରଙ୍କୁ ଜିଲ୍ଲା ପରିଷଦ ଟିକେଟ ମିଳୁ । ଯଦି କବିନ୍ଦ୍ରଙ୍କୁ ଟିକେଟ ନମିଳେ ତେବେ ରଣଜିତଙ୍କୁ କୌଣସି ବାଟେ ନିର୍ବାଚନ ରଣାଙ୍ଗନରେ ଉତ୍ତୀର୍ଣ୍ଣ ହେବାକୁ ଦେବେ ନାହିଁ। ଏହା ତାଙ୍କର ରଣଜିତଙ୍କୁ ଭୟ ନା ଆଉ କିଛି? ତେଣୁ ନିମାପଡ଼ା ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ପଞ୍ଚାୟତ ସ୍ତରୀୟ ନେତା, ବିଶେଷ କରି ୧୯ ନମ୍ବର ଜୋନର ଅଧିବାସୀମାନେ ଟିକେଟ୍ ନିଷ୍ପତ୍ତିକୁ ଚାହିଁ ବସିଛନ୍ତି ।