ନିର୍ମାଣାଧିନ ପୋଲ ତଳକୁ ଖସିଗଲା ମିନି ଟ୍ରକ, ୧୨ ମୃତ
ଓଡ଼ିଶାର ଗଞ୍ଜାମ ପରେ ଏବେ ମଧ୍ୟପ୍ରଦେଶର ଦତିଆ ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣାରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ନିର୍ମାଣାଧିନ ପୋଲ ତଳକୁ ଯାତ୍ରୀବାହୀ ମିନି ଟ୍ରକ ତଳକୁ ଖସିପଡ଼ିବାରୁ ଏଭଳି ଦୁର୍ଘଟଣା ଘଟିଛି। ଏଥିରେ ୩୦ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।
ମିଳିଥିବା ସୂଚନା ଅନୁସାରେ ଟ୍ରକ୍ରେ ବସିଥିବା ସମସ୍ତ ଲୋକେ ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଉଥିବା ବେଳେ ଦୁରସଡ଼ା ଥାନା ବୁହାର ଗାଁରେ ଟ୍ରକ୍ ପୋଲ ତଳକୁ ଖସିପଡ଼ିଥିଲା। ଡ୍ରାଇଭରଙ୍କର ବେପରୁଆ ଗାଡ଼ି ତାଳନ ଯୋଗୁ ଏଭଳି ବଡ଼ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।
ଘଟଣା ବିଷୟରେ ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଆହତମାନଙ୍କୁ ନିରଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସୁଦ୍ଧା ମୃତକ ଓ ଆହତଙ୍କ ପରିଚୟ ମିଳିପାରି ନାହିଁ। ମାମଲାରେ ତଦନ୍ତ ଜାରି ରହିଛି।
ତେବେ ଡ୍ରାଇଭରଙ୍କୁ ରାସ୍ତାର ଓସାର ଜଣା ନପଡ଼ିବାରୁ ଟ୍ରକ୍ଟି ନଦୀକୁ ଓଲଟି ପଡ଼ିଥିବା ଦତିଆ ଏସ୍ପି ପ୍ରଦୀପ ଶର୍ମା କହିଛନ୍ତି। ଘଟଣାରେ ମୁଖ୍ୟମନ୍ତ୍ରୀ ଶିବରଜା ସିଂହ ଚୌହ୍ୱାନଙ୍କ ସମେତ ଅନେକ ନେତା ଶୋକ ପ୍ରକାଶ କରିଛନ୍ତି।
ଗତ ରବିବାର ବିଳମ୍ବିତ ରାତିରେ ରାୟଗଡ଼ାରୁ ଭୁବନେଶ୍ୱର ଯାଉଥିବା OSRTC ବସ୍ ଏକ ଘରୋଇ ବସକୁ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ସାମ୍ନାପଟୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ୧୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ଜଣ ଗୁରୁତର ଆହତ ହୋଇଥିଲେ । ଗୁରୁତର ମାନଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର MKCG ମେଡ଼ିକାଲ ଓ କଟକ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।
ତେବେ ଦୁର୍ଘଟଣା ଘଟାଇ OSRTC ବସ୍ ଡ଼୍ରାଇଭର ମାନସ ପ୍ରଧାନ ଫେରାର ହୋଇ ଯାଇଥିଲେ । ଗତକାଲି ସେ ଭୁବନେଶ୍ୱର ଭରତପୁର ଥାନାରେ ଆତ୍ମସମର୍ପଣ କରିଥିଲେ। ଖବର ପାଇ ଦିଗପହଣ୍ଡି ଥାନା ପୋଲିସ ପକ୍ଷରୁ ଏକ ଟିମ୍ ଭରତପୁର ଥାନାରେ ପହଞ୍ଚି ମାନସଙ୍କୁ ଦିଗପହଣ୍ଡି ଆଣିଥିଲା । ପଚରାଉଚରା କରିବା ପରେ ପୋଲିସ ତାଙ୍କୁ ଗିରଫ କରିଛି।