ସମୁଦ୍ର ମଝିରେ ଓଲଟିଲା ଡ଼ଙ୍ଗା; ୪୩ ମୃତଦେହ ଉଦ୍ଧାର, ଅନେକ ଯାତ୍ରୀ ନିଖୋଜ ଥିବା ସୂଚନା

0

ଇଟାଲୀର କ୍ରୋଟୋନ୍‌ ସହର ସ୍ଥିତ ଲୋନିୟାଲ ସମୁଦ୍ର ମଝିରେ ଡଙ୍ଗା ଓଲଟି ପଡିବା ଫଳରେ ଅନେକ ଯାତ୍ରୀ ନିଖୋଜ୍‌ ହୋଇଯାଇଛନ୍ତି । ନିଖୋଜଙ୍କ ମଧ୍ୟରୁ ୪୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଆଉ କିଛି ବ୍ୟକ୍ତିଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତଟରକ୍ଷୀ ବାହିନୀ ପକ୍ଷରୁ ଶବ ଜବତ କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୮୦ ଜଣଙ୍କୁ ଉଦ୍ଧାର କରାଯାଇଛି ।

ମଝି ସମୁଦ୍ରରେ କୌଣସି କାରଣରୁ ଡଙ୍ଗାଟି ଓଲଟି ପଡିଥିଲା । ବୋଟ୍‌ରେ ମୋଟ ୧୩୦ ଜଣ ପ୍ରବାସୀ ଥିଲେ।

ମିଳିଥିବା ସୂଚନା ଅନୁସାରେ, ମାତ୍ରାଧିକ ଓଜନ ହୋଇଯିବା କାରଣରୁ ବିଶାଳ ଡଙ୍ଗାଟି ଓଲଟି ପଡିଥିଲା । ଅଗ୍ନିଶମ ବାହିନୀ ଏବଂ ଅନ୍ୟ ଉଦ୍ଧାରକାରୀ ଟିମ୍‌ ସମୁଦ୍ର ଭିତରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । କିଛି ଲୋକ ପହଁରି ପହଁରି କୂଳକୁ ଆସିବାରେ ସଫଳ ହୋଇଥିଲେ । ବୋଟ୍‌ଟି ଇରାନ, ପାକିସ୍ତାନ ଓ ଆଫଗାନିସ୍ତାନରୁ ପ୍ରବାସୀଙ୍କୁ ନେଇ ଇଟାଲୀ ଆସୁଥିଲା ।

ଡଙ୍ଗା ବୁଡି ଘଟଣାକୁ ନେଇ ଇଟାଲୀର ଆଭ୍ୟନ୍ତରୀଣ ବିଭାଗ ମନ୍ତ୍ରୀ ମାଟ୍ଟିଓ ପିଆଣ୍ଟେଡୋସୀ କହିଛନ୍ତି, ‘ଏହା ଏକ ବଡ ଦୁର୍ଘଟଣା । ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଉଛି । ଗୁରୁତର ଆହତଙ୍କ ଶୀଘ୍ର ସୁସ୍ଥ କାମନା କରୁଛି । କେଉଁ ପରିସ୍ଥିତିରେ ଡଙ୍ଗାଟି ବୁଡିଲା ସେ ନେଇ ତଦନ୍ତ ଆରମ୍ଭ କରାଯାଇଛି । ସମୁଦ୍ର ମଧ୍ୟଦେଇ ଯାତାୟତ ବନ୍ଦ କରିବା ନିହାତି ଆବଶ୍ୟକ । ଏହି ଘଟଣାକୁ ଇଟାଲୀ ଅତି ଗୁରୁତର ସହ ନେଇଛି । ଆଗାମୀ ଦିନରେ ତୁରନ୍ତ ଏ ନେଇ ବଡ ନିଷ୍ପତ୍ତି ନିଆଯିବ ।

ଆଶ୍ଚର୍ଯ୍ୟଜନକ କଥା ହେଉଛି ୨୦୧୪ ମସିହା ପରଠାରୁ ଏହି ରୁଟ୍‌ରେ ଯାତାୟତ କରୁଥିବା ଡଙ୍ଗାଗୁଡିକ ମଧ୍ୟରୁ ଅନେକ ଡୁବିଯିବାର ନଜିର ରହିଛି । ୮ ବର୍ଷ ମଧ୍ୟରେ ଏହି ରୁଟ୍‌ରେ ଡଙ୍ଗାବୁଡିରେ ୨୦ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ଜୀବନ ଗଲାଣି । ଏପରିକି ଅନେକ ନିଖୋଜଙ୍କ ସନ୍ଧାନ ମଧ୍ୟ ମିଳିପାରି ନାହିଁ ।

Leave a comment