ଗଣମାଧ୍ୟମ ପ୍ରତିନିଧିଙ୍କୁ ଲୋକସେବା ଭବନ ଓ ବିଧାନସଭା ପ୍ରବେଶ ଅନୁମତି ଦେବା ନେଇ ନରସିଂହ ମିଶ୍ରଙ୍କ ଶୂନ୍ୟକାଳରେ ଦାବି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ବିଧାନସଭା ଅଧିବେଶନର ଶୂନ୍ୟକାଳରେ କଂଗ୍ରେସ ବିଧାୟକଦଳ ନେତା ନରସିଂହ ମିଶ୍ର ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ବିଧାନସଭାର ପ୍ରେସ ଲାଉଞ୍ଜ ଓ ଲୋକସେବା ଭବନକୁ ପ୍ରବେଶ ଅନୁମତି ଦେବାକୁ ଆଜି ବିଧାନସଭାରେ ଦାବି କରିଛନ୍ତି । ସେହିପରି ବିଜେପିର ସଦସ୍ୟମାନେ ଏହି ଦାବି ସମର୍ଥନ ଜଣାଇଛନ୍ତି ।

ସୂଚନା ଅନୁଯାୟୀ, ଆଜି ଶୂନ୍ୟକାଳରେ କଂଗ୍ରେସ ବିଧାୟକଦଳ ନେତା ନରସିଂହ ମିଶ୍ର ପ୍ରଥମେ ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ ସାମ୍ବାଦିମାନଙ୍କୁ ବିଧାନସଭାର ପ୍ରେସ ଲାଉଞ୍ଜ କିମ୍ବା ଲୋକସେବାଭବନକୁ ଯିବାକୁ ଅନୁମତି ମିଳୁନାହିଁ । ନିର୍ବାଚନ ସମୟରେ କୌଣସି କଟକଣା ନଥିବାବେଳେ ସାମ୍ବାଦିକମାନଙ୍କୁ କିନ୍ତୁ ଏହିସବୁ ସ୍ଥାନକୁ ବାରଣ କରାଯାଉଛି ।

ସରକାର ଯାହା ଚାହୁଁଛନ୍ତି ତାହା ଗଣମାଧ୍ୟମରେ ପ୍ରକାଶ ପାଉଛି । ତେବେ ଲୋକସେବାଭବନକୁ ଛଡା ଯିବାରେ ଏତେ ଭୟ କାହିଁକି ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଥିଲେ ।

ବିଜେପି ବିଧାୟକଦଳର ମୁଖ୍ୟ ସଚେତକ ମୋହନ ମାଝି ମଧ୍ୟ ଅନୁରୂପ ଦାବି ଦାବି କରିଥିଲେ । ସେ କହିଥିଲେ ଯେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭକୁ ବିଧାନସଭା ଓ ଲୋକସେବା ଭବନରେ ପଶିବାକୁ ଦିଆଯାଉ ନାହିଁ । ସଂସଦ ଠାରୁ ଆରମ୍ଭ କରି ବିଭିନ୍ନ ରାଜ୍ୟ ସଚିବାଳୟକୁ ସାମ୍ବାଦିକମାନେ ପ୍ରବେଶ କଲେଣି । ଏଠି କିନ୍ତୁ ସାମ୍ବାଦିକ ଅଛୁଆଁ ।

ଏବେ କରୋନା ନାହିଁ । ହେଲେ ସରକାର କାହିଁକ ଡରୁଛନ୍ତି । ସାମ୍ବାଦିକମାନେ ଲୋକସେବାଭବନକୁ ଗଲେ ଗୁପ୍ତ କଥା କ’ଣ ପଦାକୁ ଆସିଯିବ ବୋଲି ଶ୍ରୀ ମାଝି ପ୍ରଶ୍ନ କରିଥିଲେ । କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ମଧ୍ୟ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ତୁରନ୍ତ ବିଧାନସଭା ଓ ଲୋକସେବା ଭବନରେ ପ୍ରବେଶ ଅନୁମତି ପ୍ରଦାନ ଲାଗି ଦାବି କରିଥିଲେ ।

Leave a comment