ଆସନ୍ତାକାଲି ମାଟ୍ରିକ ପରୀକ୍ଷା: ୫,୭୧,୯୦୯ ପରୀକ୍ଷାର୍ଥୀ ଦେବେ ପରୀକ୍ଷା
ଭୁବନେଶ୍ବର : ଆସନ୍ତାକାଲି ମାଟ୍ରିକ ପରୀକ୍ଷା। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ହାଇସ୍କୁଲ ସାର୍ଟିଫିକେଟ, ମଧ୍ୟମା ଓ ଓପନ ସ୍କୁଲ ପରୀକ୍ଷା ପାଇଁ ବୋର୍ଡ ସମସ୍ତ ବ୍ୟବସ୍ଥା ଚୂଡ଼ାନ୍ତ କରିଛି। ରାଜ୍ୟରେ ୩ ହଜାର ୫୪୦ଟି ପରୀକ୍ଷା କେନ୍ଦ୍ରରେ ୫ଲକ୍ଷ ୭୧ ହଜାର ୯୦୯ ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେବେ। ୪ ହଜାର ୪୪୩ ଜଣ ମଧ୍ୟମା ଓ ୯ ହଜାର ୩୭୮ ଜଣ ଓପନ ସ୍କୁଲ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେବେ।
ମୋଟ ୩୧୫ଟି ନୋଡାଲ ସେଣ୍ଟର କରାଯାଇଛି । ନୋଡାଲ ସେଣ୍ଟର ମାନଙ୍କରେ ୨୪ ଘଣ୍ଟିଆ ପୋଲିସ ସୁରକ୍ଷା ବ୍ୟବସ୍ଥା କରାଯାଇଛି । କୋରାପୁଟ, କନ୍ଧମାଳ ଓ ମାଲକାନଗିରି ଜିଲ୍ଲାରେ ୨୧ଟି ଥାନାରେ ନୋଡାଲ ସେଣ୍ଟର କରାଯାଇଛି। ୨୨ତାରିଖରୁ ନୋଡାଲ ସେଣ୍ଟରକୁ ପ୍ରଶ୍ନପତ୍ର ବୁକ୍ଲେଟ ଓ ଓଏମ୍ଆର ସିଟ ପଠାଯାଇଛି। ସକାଳ ୮ ଟାରୁ ୧୦ ଟା ଯାଏ ଚାଲିବ ଏହି ପରୀକ୍ଷା। ପରୀକ୍ଷା ପରିଚାଳନାରେ ୩୫ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ନିୟୋଜିତ ହୋଇଛନ୍ତି। ପରୀକ୍ଷାର ସୁପରିଚାଳନା ଓ କପି ରୋକିବା ପାଇଁ ଚାରି ସ୍ତରୀୟ ସ୍କ୍ଵାଡ ବ୍ୟବସ୍ଥା କରାଯାଇଛି ।