ବାହାରିଲା ମାଟ୍ରିକ ରେଜଲ୍ଟ, ଗତବର୍ଷ ତୁଳନାରେ କମିଛି ପାସ୍ ହାର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେଶନ ପକ୍ଷରୁ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି । ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଚଳିତ ବର୍ଷ ପାସ୍‌ ହାର ୭୦.୭୮% ରହିଛି । ଝାରସୁଗୁଡ଼ା ଜିଲାରେ ପାସ୍‌ ହାର ସର୍ବାଧିକ ୮୫.୪୮% ହୋଇଥିବା ବେଳେ କୋରାପୁଟରେ ସର୍ବନିମ୍ନ ୫୦.୬୧% ରହିଛି ।

ଚଳିତ ବର୍ଷ ୫ ଲକ୍ଷ ୬୨ ହଜାର ୨୧୩ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୩ ଲକ୍ଷ ୯୭ ହଜାର ୧୨୫ ଛାତ୍ରୀଛାତ୍ର ପାସ୍‌ କରିଛନ୍ତି । ସେମାନଙ୍କ ମଧ୍ୟରୁ ୨ ଲକ୍ଷ ୫ ହଜାର ୪୭୦ ଛାତ୍ରୀ ଓ ୧ ଲକ୍ଷ ୯୧ ହଜାର ୬୫୫ ଜଣ ଛାତ୍ର ପାସ୍‌ କରିଛନ୍ତି । ଗତବର୍ଷ ତୁଳନାରେ ଚଳିତବର୍ଷ ପାସ୍ ହାର କମିଛି । ୨୮୯ଟି ହାଇସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଥିବା ବେଳେ ୮୨ ଟି ହାଇସ୍କୁଲରେ କେହି ଜଣେ ବି ପରୀକ୍ଷାର୍ଥୀ ପାସ୍‌ କରି ନାହାନ୍ତି । ଏ-୧ରେ ୧,୧୮୧ଜଣ, ଏ-୨ରେ ୯,୯୩୮ ଓ ବି-୧ରେ ୨୪,୯୯୧ ଛାତ୍ରୀଛାତ୍ର ଉତ୍ତୀର୍ଣ୍ଣ ହୋଇଛନ୍ତି । ଛାତ୍ରୀଛାତ୍ରମାନେ www.bseodisha.ac.in, www.bseodisha.nic.in ଓ୍ବେବସାଇଟକୁ ଯାଇ ନିଜ ରେଜଲ୍ଟ ଜାଣିପାରିବେ ।

Leave a comment