ଅଗ୍ନିକାଣ୍ଡ ନେଲା ୧୭ ଛାତ୍ରଛାତ୍ରୀଙ୍କ ଜୀବନ, ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗୁଜୁରାଟର ସୁରଟରେ ଥିବା ତକ୍ଷଶିଳା କମ୍ପେକ୍ସରେ ଅଗ୍ନିକାଣ୍ଡ । ଏକ ୪ ମହଲା କୋଠା ଉପରୁ ଜୀବନ ବଞ୍ଚିବାକୁ ଡେଇଁ ୧୭ ଜଣ ଛାତ୍ରଛାତ୍ରୀ ମୃତ୍ୟୁ ବରଣ କରିଛନ୍ତି । ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବାସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତାର ରାଶି ଘୋଷଣା କରିଛନ୍ତି ।

ସୂଚନା ଅନୁଯାୟୀ, ଗୁଜୁରାଟର ସୁରତର ସରଥାଣା ଅଞ୍ଚଳରେ ତକ୍ଷଶିଳା କମ୍ପେକ୍ସରେ ଏକ ଫେସନ ଡିଜାଇନିଂ ଷ୍ଟୁଡିଓ ଥିଲା ଓ ସେଠାରେ ଛାତ୍ରଛାତ୍ରୀମାନଙ୍କୁ ଟ୍ରେନିଂ ଦିଆଯାଉଥିଲା । ଉପର ମହଲାରେ ହଠାତ ନିଆଁ ଲାଗିବା ପରେ କିଛି ଛାତ୍ରଛାତ୍ରୀ ପ୍ରାଣ ବିକଳରେ ୪ ମହଲା ଉପରେ ଥିବା ଝରକାରୁ ଡେଇଁ ପଡିଥିଲେ । ଏତେ ଉପରୁ ଡେଇଁବା ଫଳରେ କେତେକ ଛାତ୍ରଛାତ୍ରୀଙ୍କ ମୃତ୍ୟୁବରଣ କରିଥିବାବେଳେ କେତେକ ଆହତ ହୋଇଛନ୍ତି । ଏହି ଘଟଣା ସମୟରେ ସେଠାରେ ୫୦ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିବା ଜଣାପଡିଛି । କିଛି ଛାତ୍ରଛାତ୍ରୀ ନିଆଁରେ ପୋଡ଼ି ହୋଇ ମୃତ୍ୟୁବରଣ କରିଥିବା ଅନୁମାନ କରାଯାଉଛି । ମୃତକଙ୍କ ମଧ୍ୟରୁ ଅଧିକାଂଶ ଛାତ୍ରଛାତ୍ରୀ ବୋଲି ଜଣାପଡିଛି । ଘଟଣାର ଖବର ପାଇ ୧୫ଟି ଦମକଳ ଗାଡିକୁ ନିଆଁ ଲିଭାଇବାରେ ନିୟୋଜିତ କରାଯାଇଥିଲା ।

ଅପରପକ୍ଷରେ ଗୁଜୁରାଟ ପୋଲିସ କମିଶନର ସତୀଶ ମିଶ୍ର ଏସି ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରିବା ସହ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

Leave a comment