ପୁଣିଥରେ ରାଜ୍ୟକୁ ଫେରିଲା ମାସ୍କ କଟକଣା

ଦେଶ ତଥା ରାଜ୍ୟରେ ପୁଣିଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଯାହାକୁ ନଜରରେ ରଖିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର। ଏହାରି ମଧ୍ୟରେ ଓଡ଼ିଶା ସରକାର ମଧ୍ୟ କରୋନା ପାଇଁ ଆଗୁଆ ସତର୍କତା ମୂଳକ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ରାଜ୍ୟରେ ବର୍ତ୍ତମାନ କରୋନା ଟେଷ୍ଟିଂକୁ ବୃଦ୍ଧି କରାଯାଇଥିବା ବେଳେ ରାଜ୍ୟ ସରକାର ହସ୍ପିଟାଲରେ ମାସ୍କ ବ୍ୟବହାରକୁ ଗୁରୁତ୍ୱ ଦେଇଛନ୍ତି।
ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ମାସ୍କ ବ୍ୟବହାର ପାଇଁ ପରାମର୍ଶ ଦେଇଛନ୍ତି ସରକାର। ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି। ରାଜ୍ୟର ସମସ୍ତ ମେଡିକାଲର ସହ ସ୍ୱାସ୍ଥ୍ୟକର୍ମୀ ଓ ସମସ୍ତ ହସ୍ପିଟାଲ ଅଧିକାରୀଙ୍କୁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର।
ଅନ୍ୟପଟେ ଦେଶରେ ୮ଟି ରାଜ୍ୟରେ କୋଭିଡ୍ ସଂକ୍ରମଣ ବଢ଼ିବା ସହ ପଜିଟିଭ ହାର ବଢ଼ୁଥିବାରୁ କେନ୍ଦ୍ର ସରକାର ଉକ୍ତ ୮ଟି ରାଜ୍ୟକୁ କରୋନା ସ୍ଥିତି ଉପରେ କଡ଼ା ନଜର ରଖିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସରକାର କହିଛନ୍ତି, ମହାମାରୀ ଏଯାବତ ଶେଷ ହୋଇନି। ତେଣୁ ଆମେ ଆଦୌ ବେପରୁଆ ହେବା ଉଚିତ ନୁହେଁ। କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ୮ଟି ରାଜ୍ୟ ତଥା ଉତ୍ତରପ୍ରଦେଶ, ତାମିଲନାଡ଼ୁ, ରାଜସ୍ଥାନ, ମହାରାଷ୍ଟ୍ର, କେରଳ, ହରିୟାଣା ଏବଂ ଦିଲ୍ଲୀକୁ ଚିଠି ଲେଖି ଏହି ନିର୍ଦ୍ଦେଶ ଦେଇଛନ୍ତି। ଭୁଷଣ କହିଛନ୍ତି, କରୋନା ଯୋଗୁଁ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ବଢ଼ିନି କି ମୃତ୍ୟୁ ମଧ୍ୟ ବଢ଼ିନାହିଁ। ତେବେ କିଛି ରାଜ୍ୟ ଏବଂ ଜିଲ୍ଲାରେ ସଂକ୍ରମଣ ବଢ଼ୁଛି। ଏଥିରୁ ଜଣାପଡ଼ୁଛି ଯେ ସ୍ଥାନୀୟ ସଂକ୍ରମଣ ବଢ଼ୁଛି। ତେଣୁ ଏସବୁ ଉପରେ ରାଜ୍ୟ ସରକାର ଧ୍ୟାନ ଦେବାକୁ କେନ୍ଦ୍ର ପରାମର୍ଶ ଦେଇଛି।