ଆଜିଠୁ ୧୪ ଦିନିଆ ମାସ୍କ ଅଭିଯାନ : ମାସ୍କ ନ ପିନ୍ଧିଲେ ୨ ଗୁଣା ଜରିମାନା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦେଶରେ କରୋନାର ଦ୍ଵିତୀୟ ଲହର ସହ ଓଡିଶାରେ ମଧ୍ୟ କରୋନା ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି। ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଏକ ହଜାର ଡେଇଁଛି। ଏହା ମଧ୍ୟରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀ କୋଭିଡ୍ ନିୟମ ପାଳନ ସହ ମାସ୍କ ପିନ୍ଧିବା ଉପରେ ଗୁରୁତ୍ଵାରୋପ କରିଛନ୍ତି। କରୋନା ନେଇ ମା ମାନଙ୍କୁ ପରାମର୍ଶ ଦେବା ସହ ଅମାନିଆଙ୍କୁ ତାଗିଦ୍ ମଧ୍ୟ କରିଛନ୍ତି। ଏଣିକି ମାସ୍କ ନପିନ୍ଧିଲେ ୨ ଗୁଣା ଫାଇନ ଆଦାୟ ହେବ। ଏଥିପାଇଁ ପୋଲିସକୁ କଡା ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହ ଆଜିଠୁ ୧୪ ଦିନିଆ ମାସ୍କ ଅଭିଯାନ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମାନବ ଇତିହାସରେ ଏଭଳି ସଙ୍କଟ କେବେ ଆସିନଥିଲା। ବିଶ୍ଵ ଏବେ ଅସାଧାରଣ ସ୍ଥିତି ଦେଇ ଗତି କରୁଛି। ପୂର୍ବାପେକ୍ଷା ଆମକୁ ଅଧିକ ଯତ୍ନବାନ ହେବାକୁ ପଡିବ। ସମସ୍ତ ସହଯୋଗରୁ ଆମେ ଅନେକ ଜୀବନ ରକ୍ଷା କରି ପାରିଛେ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମ ରାଜ୍ୟରେ ମୃତ୍ୟୁ ସଂଖ୍ୟା ଅନ୍ୟ ରାଜ୍ୟ ତୂଳନାରେ କମ ଥିଲା। ଆମକୁ କଠୋର ପଦକ୍ଷେପ ନେବାକୁ ପଡିଥିଲା। ବାରମ୍ବାର ଲକ୍ଡାଉନ୍ ଓ ସଟ୍ଡାଉନ୍ କରିବାକୁ ପଡିଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଆଜିଠୁ ୧୪ ଦିନିଆ ମାସ୍କ ଅଭିଯାନ
ଏବେ ଦେଶରେ କୋଭିଡ୍ର ଦ୍ଵିତୀୟ ଲହର ଆରମ୍ଭ ହୋଇଛି ଏବଂ ଶୀଘ୍ର ବ୍ୟାପିବାରେ ଲାଗିଛି। ସ୍ଥିତି ଏମିତି ଯେ, ବିଭିନ୍ନ ରାଜ୍ୟରେ ଲକ୍ଡାଉନ୍, ନାଟଇ୍ କର୍ଫ୍ୟୁ ଆରମ୍ଭ ହୋଇଯାଇଛି। କୋଭିଡ୍ ନିୟମ ମାନିଲେ କରୋନା ସଂକ୍ରମଣ ରୋକି ପାରିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିପାଇଁ ଆଜିଠାରୁ ୧୪ ଦିନ ଯାଏ ମାସ୍କ ଅଭିଯାନ ଆରମ୍ଭ କରାଯିବ। ଆଜିଠାରୁ ସଂକଳ୍ପ ନେଇ ସମସ୍ତେ ମାସ୍କ ପିନ୍ଧିବା।
ସଠିକ୍ ଭାବେ ମାସ୍କ ପିନ୍ଧିବାକୁ ମୁଖ୍ୟମନ୍ତ୍ରୀ ଜନତାଙ୍କୁ ପରାମର୍ଶ ଦେଇଛନ୍ତି। ବେକରେ ଝୁଲାଇ ନୁହେଁ, ଠିକ୍ ଭାବେ ନାକକୁ ଘୋଡାଇ ମାସ୍କ ପିନ୍ଧିବା। ବିନା ମାସ୍କରେ କେବେ ଘରୁ ବାହରିବା ନାହିଁ। ମା ମାନଙ୍କୁ ଅନୁରୋଧ ପରିବାର ଲୋକ ଘରୁ ବାହାରକୁ ଗଲେ ସେମାନଙ୍କୁ ମାସ୍କ ପିନ୍ଧିବାକୁ କୁହନ୍ତୁ। ମା ମାନେ ସତର୍କ ହେଲେ କେବେ ବି କରୋନା ଘରକୁ ଆସି ପାରିବନି। ସରକାର ବାହାରେ ଜଗିଛନ୍ତି, ମା ମାନେ ଘରେ ଜଗନ୍ତୁ। ମୁଖ୍ୟମନ୍ତ୍ରୀ କହିଛନ୍ତି, କିଛି ଅମାନିଆଙ୍କ ପାଇଁ କାହିଁକି ସାରା ସମାଜ କଠିନ ପରିସ୍ଥିତିରେ ପଡିବ।
ମାସ୍କ ନ ପିନ୍ଧିଲେ ୨ ଗୁଣା ଜରିମାନା
ମୁଖ୍ୟମନ୍ତ୍ରୀ ଅମାନିଆଙ୍କ ପ୍ରତି କଠୋର ଆଭିମୁଖ୍ୟ ଆପଣାଇ କହିଛନ୍ତି ଯେ, ମାସ୍କ ପିନ୍ଧିନଥିବା ଲୋଙ୍କଠୁ ଜରିମାନା ଆଦାୟ କରାଯିବ। ମାସ୍କ ନପିନ୍ଧିଲେ ୨ ଗୁଣା ଜରିମାନା ଆଦାୟ କରାଯିବ। ଏଥିପାଇଁ ପୋଲିସ ଓ ପ୍ରଶାସନକୁ କଡା ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମାସ୍କ ହିଁ ଆମ ପାଇଁ ସବୁଠୁ ଗୁରୁତ୍ଵପୂର୍ଣ୍ଣ ସୁରକ୍ଷା କବଚ। ବିଶେଷ କରି ଯେଉଁମାନେ ଟିକା ନେଇ ନାହାନ୍ତି ସେମାନେ ମାସ୍କ ପିନ୍ଧିବା ଜରୁରୀ। ଆଉ ଯେଉଁମାନେ ଟିକା ନେଇଛନ୍ତି ସେମାନେ ମଧ୍ୟ ମାସ୍କ ପିନ୍ଧନ୍ତୁ। ତା ହେଲେ ଯାଇ ଆମେ ବିନା ଲକ୍ଡାଉନ୍ରେ କରୋନାକୁ ରୋକି ପାରିବା। ଯଦି ଆପଣ ଚାହାନ୍ତି ଆପଣଙ୍କ ରୋଜଗାର ବନ୍ଦ ନହେଉ ଏବଂ ଆପଣଙ୍କ ଜୀବିକା ଠିକ୍ ଭାବରେ ଚାଲୁ ତେବେ ଆପଣଙ୍କୁ ନିଶ୍ଚୟ ମାସ୍କ ପିନ୍ଧିବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
କେତେ ଲହର ଆସିବ କେହି ଜାଣି ନାହାନ୍ତି
ଏବେ କରୋନାର ଦ୍ଵିତୀୟ ଲହର ଚାଲିଛି। କେତେକ ଦେଶରେ ତୃତୀୟ ଲହର ମଧ୍ୟ ଆରମ୍ଭ ହୋଇ ଯାଇଛି। ତେଣୁ ଆଗକୁ କରୋନାର କେତେ ଲହର ଆମକୁ ମୁକାବିଲା କରିବାକୁ ହେବ ତାହା କେହି ଜାଣି ନାହାନ୍ତି। ତେଣୁ ଆମର ଜୀବନଶୈଳୀରେ ଯଦି ଏକ ଛୋଟିଆ ପରିବର୍ତ୍ତନ ଆଣି ପାରିବା ମାସ୍କକୁ ଆମର ସାଥୀ କରି ପାରିବା ତେବେ ଆମେ ବିନା ଲକ୍ଡାଉନ୍ରେ ବିପଦରୁ ରକ୍ଷା ପାଇ ପାରିବା। ଆପଣଙ୍କ ସହଯୋଗ ହିଁ ଆମକୁ ଏ ଯୁଦ୍ଧରେ ବିଜୟୀ କରି ପାରିବ ବୋଲି ମୁଖ୍ୟମନ୍ତ୍ରୀ ନିଜ ସମ୍ବୋଧନରେ କହିଛନ୍ତି।